ଓଡ଼ିଶା365(ବ୍ୟୁରୋ): ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତା’ର ଗ୍ରାହକଙ୍କୁ ଚକୋଲେଟ୍ ଦେବ ବୋଲି ଜଣାପଡ଼ିଛି । ଯେଉଁ ଗ୍ରାହକ ଠିକ୍ ସମୟରେ ଋଣ ପରିଶୋଧ ନକରିବେ ସେମାନଙ୍କ ନିକଟକୁ ବ୍ୟାଙ୍କ ଅଧିକାରୀ ଚକେଲେଟ୍ ପଠାଇ ଶୁଭେଚ୍ଛା ଜଣାଇବ। ଯେଉଁ ଗ୍ରାହକ ଋଣ ନେଇ କିସ୍ତି ଦେବାରେ ଅବହେଳା କରିବେ ବା ଡିଫଲ୍ଟ କରିବାକୁ ଯୋଜନାରେ ରହିଥିବେ ସେମାନଙ୍କ ନିକଟକୁ ବ୍ୟାଙ୍କ ନୋଟିସ୍ ଦେବା ବଦଳରେ ଚକୋଲେଟ ପଠାଇବ ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ରିଟେଲ୍ ଲୋନ୍ ବା ଖୁଚୁରା ଋଣ ନେଇଥିବା ଗ୍ରାହକଙ୍କ ନିକଟରେ ଏପରି ଘଟଣା ଅଧିକ ଘଟୁଛି । ଦିଆଯାଇଥିବା ତଥ୍ୟ ଅନୁସାରେ, ଏସବିଆଇ ରିଟେଲ୍ ଲୋନ୍ ୧୬.୪୬ରୁ ବୃଦ୍ଧି ହୋଇ ଏହା ଜୁନ୍ ୨୦୨୩ରେ ୧୨,୦୪,୨୭୯ କୋଟିରେ ପହଞ୍ଚିଛି । ଯାହାକି ପୂର୍ବ ବର୍ଷ ୧୦,୩୪,୧୧୧ କୋଟି ଟଙ୍କା ରହିଥିଲା । ବର୍ଷିକ ତୁଳନାରେ ଏହା ୧୩.୯ ପ୍ରତିଶତକୁ ବୃଦ୍ଧି ପାଇଛି ।
SBIର ଭାରାପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ କହିଛନ୍ତି, ରିଟେଲ୍ ଲୋନ୍ଧାରୀମାନଙ୍କୁ ସେମାନଙ୍କ ଋଣ ପରିଶୋଧ କରିବାକୁ ମନେ ପକାଇବା ପାଇଁ ଆମେ ଏପରି ପ୍ରୟାସ କରୁଛୁ । ଡିଫଲ୍ଟ ବିଷୟରେ ସଚେତନ କରିବା ହେଉଛି ଆମର ଲକ୍ଷ୍ୟ। ସେମାନଙ୍କୁ ତାଙ୍କର ଆଗାମୀ ଇଏମଆଇ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏସ୍ବିଆଇ ପକ୍ଷରୁ ଏହା ଘୋଷଣା କରାଯାଇପାରେ ବୋଲି ସେ କହିଛନ୍ତି ।