ଓଡ଼ିଶା365(ବ୍ୟୁରୋ): ଭାରତ ମହାସାଗରରେ ଦିନକୁ ଦିନ ଚୀନର ଆଧି ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଭାରତୀୟ ନୌସେନାକୁ ପ୍ରସ୍ତୁତ କରାଯାଉଛି । ନୌସେନାର ଶକ୍ତିବୃଦ୍ଧି ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମାଧ୍ୟମରେ ମୋଟ ୬୮ଟି ଯୁଦ୍ଧ ଜାହାଜ ଓ ଭେସେଲ ଖରିଦ କରାଯିବ । ଭାରତ ମହାସାଗରୀୟ ଅଂଚଳରେ ଚୀନର ଆଧିପତ୍ୟ ବଢିଚାଲିଛି । ଚୀନର ଯୁଦ୍ଧ ଜାହାଜ ଓ ଗୁପ୍ତଚର ଜାହାଜ ନିୟମିତଭାବେ ଭାରତ ମହାସାଗରରେ ପଇତରା ମାରୁଛି । ଗତ ବର୍ଷ ଓ ଚଳିତ ବର୍ଷ ଚୀନର ଗୁପ୍ତଚର ଜାହାଜ ଶ୍ରୀଲଙ୍କାରେ ଡେରା ପକାଇଥିଲା ।
ତାହାକୁ ନେଇ ଭାରତ ଚିନ୍ତା ପ୍ରକାଶ କରିଥିଲା । ଏହି କାରଣରୁ ଭାରତ ମହାସାଗରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ସରକାର ଯୋଜନା କରୁଛନ୍ତି । ଭାରତୀୟ ନୌସେନା ନିକଟରେ ଏବେ ୧୩୨ଟି ଯୁଦ୍ଧ ଜାହାଜ, ୧୪୩ଟି ବିମାନ, ୧୩୦ଟି ହେଲିକପ୍ଟର କାର୍ଯ୍ୟକରୁଛି । ଆସନ୍ତା କିଛି ବର୍ଷ ମଧ୍ୟରେ ନୌସେନା ପାଇଁ ୮ଟି ଅତ୍ୟାଧୁନିକ କର୍ଭେଟ୍, ୯ଟି ବୁଡ଼ାଜାହାଜ,୫ଟି ସର୍ଭେ ଜାହାଜ ଓ ୨ଟି ବହୁମୁଖୀ ଭେସେଲ ଦେଶ ମଧ୍ୟରେ ନିର୍ମାଣ କରିବାକୁ ସରକାର ପ୍ରାଥମିକ ମଂଜୁରୀ ଦେଇଛନ୍ତି । ୨୦୩୦ ସୁଦ୍ଧା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ସଂଖ୍ୟା ୧୫୫-୧୬୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।