ଓଡ଼ିଶା365(ବ୍ୟୁରୋ): ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ନିଛାଟିଆ ରାସ୍ତାରେ ଛକି ରହି ଲୁଟ୍ପାଟ୍ କରୁଥିବା ୨ କୁଖ୍ୟାତ୍ ଲୁଟେରାଙ୍କୁ ଗିରଫ କରିଛି ଚନ୍ଦକା ପୁଲିସ। ବାଲିଅନ୍ତା, ବାଲିପାଟଣାରୁ ଆରମ୍ଭ କରି ଚନ୍ଦକା ଓ ପାହାଳ ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିବା ଏହି ୨ ଲୁଟେରା ହେଲେ ବାଲିଅନ୍ତା ଥାନା ସରକଣା ଗ୍ରାମର ସାଗର ଭୋଇ(୨୩) ଏବଂ ନିକଟସ୍ଥ ଦଣ୍ଡିଲୋ ଗ୍ରାମର ପ୍ରଶାନ୍ତ ଭୋଇ(୨୯)। ପୁଲିସ ସେମାନଙ୍କଠାରୁ କଟୁରି, ବାଇକ୍ ଜବତ କରିଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
ଗତ ୧୫ ତାରିଖ ସନ୍ଧ୍ୟାରେ ଚନ୍ଦକା-ଅନ୍ଧାରୁଆ ରାସ୍ତାରେ ସାଗର ଓ ପ୍ରଶାନ୍ତ ବାଇକ୍ରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କଟୁରିରେ ଆକ୍ରମଣ କରି ଲୁଟ୍ କରିଥିଲେ। କଟୁରି ଚୋଟରେ ରକ୍ତାକ୍ତ କରି ମୋବାଇଲ୍ ଫୋନ୍ ଓ ପର୍ସ ଛଡ଼ାଇ ନେଇଥିଲେ। ଏନେଇ ଚନ୍ଦକା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଲୁଟ୍ପାଟ୍ ତରିକାରୁ ଏହା ସାଗର ଓ ପ୍ରଶାନ୍ତର କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ଦୁଇ ଲୁଟେରା ବାଲିପାଟଣା, ବାଲିଅନ୍ତା ଅଞ୍ଚଳରେ ନିଛାଟିଆ ରାସ୍ତାରେ ଛକି ରହି ଫାଇନାନ୍ସ କର୍ମଚାରୀଙ୍କୁ କଟୁରିରେ ହାଣି ଲୁଟୁଥିଲେ। ତେଣୁ ଚନ୍ଦକା ଥାନା ପୁଲିସ ବାଲିଅନ୍ତା ଥାନା ପୁଲିସ ସହଯୋଗରେ ସେମାନଙ୍କୁ ପିଛା କରିଥିଲା। ଗତକାଲି ସେମାନେ ଗାଁରେ ଥିବା ଖବର ପାଇ ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା।