ଓଡ଼ିଶା365(ବ୍ୟୁରୋ): ଗତକାଲି ରାତି ୧୦ଟାରେ ସୁନ୍ଦରଗଡ଼ ସଦର ଥାନା ଫଟାଟାଙ୍ଗର ଗାଁରେ ୩ ଜଣ ଯୁବକ ବାଇକରେ ଭରା ନାଳ ପାର ହେଉଥିବାବେଳେ ଭାସିଯାଇଛନ୍ତି। ତେବେ ୨ ଜଣ ପହଁରି ଚାଲି ଆସିଥିବାବେଳେ ଜଣେ ନିଖୋଜ ହୋଇଯାଇଛନ୍ତି। ସାରା ରାତି ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀର କସରତ ପରେ ଆଜି ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ଫଟାଟାଙ୍ଗରର କୈଳାସ ବୁଡ଼। ଉଦ୍ଧାର ଯୁବକଙ୍କ ମଧ୍ୟରୁ ଜଣେ ସେହି ଗାଁର ରମେଶ ଟପ୍ପୋ। ଅନ୍ୟ ଜଣେ ନିକଟସ୍ଥ ଝାକର ଗାଁର ସମେଲ ଏକ୍କା। ୩ ଜଣ ବାଇକରେ ରପଟା ପାର ହେଉଥିଲେ। ରପଟା ଉପରେ ପାଣିର ପ୍ରଖର ସୁଅ ଛୁଟୁଥିଲା। ସେଥିରେ ଫସି ସେମାନେ ଭାସି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।