ଓଡ଼ିଶା365(ବ୍ୟୁରୋ): ପଞ୍ଚଭୂତରେ ବିଲୀନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ, ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ଗୀତା ମେହେଟା । ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ। ତାଙ୍କ ପୁଅ ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ। ଏହି ଅବସରରେ ଗୀତାଙ୍କ ସମ୍ପର୍କୀୟମାନଙ୍କ ସମେତ ସାଂସଦ ପିନାକୀ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖଙ୍କୁ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ।
ଶନିବାର ରାତିରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତାଙ୍କ ମୁତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ୩, ଏପିଜେ କଲାମ ମାର୍ଗ ସ୍ଥିତ ତାଙ୍କର ପୈତୃକ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଶୋକାକୂଳ ପରିବେଶରେ ଗୀତା ମେହେଟାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପରିବାରର ସଦସ୍ୟ, ଆତ୍ମୀୟ ସ୍ବଜନ ଓ ଅନ୍ୟ ସଂପର୍କୀୟମାନେ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ, ମୋ’ ବଡ଼ ଭଉଣୀ ଗୀତା ମେହେଟାଙ୍କ ଦୁଃଖଦ ମୃତ୍ୟୁ ଯୋଗୁ ମୁଁ ଦିଲ୍ଲୀରେ ପହଞ୍ଚିଛି। ସେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ଲେଖିକା ଥିଲେ।