ଓଡ଼ିଶା365(ବ୍ୟୁରୋ): ପ୍ରଖ୍ୟାତ ଲେଖିକା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ । ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ଗୀତା ମେହେଟାଙ୍କ ପାର୍ଥିବ ଶରୀର ରଖାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିଛନ୍ତି । ବଡ଼ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଶନିବାର ରାତିରେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା ।ସାମ୍ବାଦିକତା ଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପର୍ଯ୍ୟନ୍ତ ସେ ଥିଲେ ସିଦ୍ଧହସ୍ତ । ସାରା ବିଶ୍ୱ ଗୀତାଙ୍କୁ ଭିନ୍ନ ଭିନ୍ନ ପରିଚୟରେ ଜାଣେ । ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି । କିଏ ତାଙ୍କୁ ଜାଣେ ବିଶ୍ୱସ୍ତରୀୟ ଲେଖିକା ଭାବେ, ଆଉ କିଏ ଜାଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଭାବେ । ୮୦ ବର୍ଷ ବୟସରେ ଆଖିବୁଜିଛନ୍ତି ସେ ।
ପ୍ରବାଦ ପୁରୁଷ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ହେଉଛନ୍ତି ଗୀତା ମେହଟ୍ଟା । ୧୯୪୩ରେ ଜନ୍ମିତ ଗୀତା କେମ୍ବ୍ରିଜ୍ ଯାଇଥିଲେ ଉଚ୍ଚଶିକ୍ଷା ପାଇଁ । ୧୯୭୦ରେ ଆମେରିକୀୟ ଟେଲିଭିଜନ ଚ୍ୟାନେଲ NBC ପାଇଁ ଯୁଦ୍ଧ ରିପୋର୍ଟିଂ କରି ପ୍ରଶଂସା ସାଉଁଟିଥିଲେ । ଆମେରିକା, ୟୁରୋପ, ଇଂଲଣ୍ଡର ବିଭିନ୍ନ ଟେଲିଭିଜନ୍ ନେଟୱର୍କ ପାଇଁ ବି ନିର୍ମାଣ କରିଥିଲେ ୧୪ଟି ଟିଭି ଡକ୍ୟୁମେଣ୍ଟାରୀ ।
ବାଂଲାଦେଶ ବିପ୍ଲବକୁ ନେଇ ତାଙ୍କ ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ ଡେଟଲାଇନ୍ ବାଂଲାଦେଶ ବେଶ ଚର୍ଚ୍ଚିତ ହୋଇଥିଲା ଦେଶ ବିଦେଶରେ । କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା ଲିଖିତ କର୍ମକୋଲା: ମାର୍କେଟିଂ ଦ ମିଷ୍ଟିକ୍ ଇଷ୍ଟ, ଏ ରିଭର୍ ସୂତ୍ର, ମାଉଣ୍ଟେନ ସୂତ୍ର, ସ୍ନେକ୍ସ ଆଣ୍ଡ୍ ଲ୍ୟାଡର୍ସ, ଇଟର୍ନାଲ୍ ଗଣେଶ ଆଦି ବହୁ ପୁସ୍ତକ ବି ଆଦୃତ ଲାଭ କରିଛି ବିଶ୍ୱବ୍ୟାପୀ ।