ଓଡ଼ିଶା365(ବ୍ୟୁରୋ): ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସରେ ଲାଗିପାରୁନି ଲଗାମ। ଗତକାଲି ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତ ସଂଖ୍ଯା ୧୮୩ରେ ପହଞ୍ଚିଛି। ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଜଣ ଚିହ୍ନଟ ହୋଇଥିଲେ। ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ତାପର ଠାରୁ ଏହା ବୃଦ୍ଧି ପାଇବାରେ ଲାଗିଛି। ସ୍କ୍ରବ୍ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ.କାହ୍ନୁଚରଣ ନାୟକ କହିଛନ୍ତି।
ଅନ୍ୟପଟେ ଆଶା, ଅଙ୍ଗନଓ୍ୱାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଛି। କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି । ଏପରିକି ଆବଶ୍ୟକ ପଡ଼ିଲେ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ତେବେ ଏ ସଚେତନତା କେବଳ କାଗଜପତ୍ରରେ ଚାଲିଥିବା ଲୋକମାନେ କହିଛନ୍ତି । ବାସ୍ତବରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଏଯାଏ ଏ ରୋଗ ସମ୍ପର୍କରେ ବିଶେଷ ସୂଚନା ପହଞ୍ଚି ନଥିବା ଜଣାପଡ଼ିଛି।