ଓଡ଼ିଶା 365 (ବ୍ୟୁରୋ):ଖୁବଶୀଘ୍ର ଗିରଫ ହେବେ ବଲିଉଡ ଅଭିନେତ୍ରୀ ଜରୀନ ଖାନ୍ । ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ କୋଲକାତା କୋର୍ଟ । ସୂଚନା ଅନୁଯାୟୀ, ଏକ ଠକେଇ ମାମଲାର ଶୁଣାଣି କରି କୋଲକାତାର ସିଆଲ୍ଦା କୋର୍ଟ ରବିବାର ଦିନ ଜରିନ ଖାନ୍ଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ୨୦୧୬ରେ ଜରୀନଙ୍କ ବିରୁଦ୍ଧରେ ଏକ କମ୍ପାନୀ ପକ୍ଷରୁ ଏହି ଠକେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ତଦନ୍ତକାରୀ ଅଫିସର ସିଆଲ୍ଦା କୋର୍ଟରେ ଅଭିନେତ୍ରୀଙ୍କ ବିରୁଦ୍ଧରେ ଚାର୍ଜଶିଟ ଦାଖଲ କରିଥିଲେ। ଏହାପରେ କୋର୍ଟ ଏହି ମାମଲାର ଶୁଣାଣି କରି ଜରୀନ ଖାନ୍ଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଜରିନ୍ କୋର୍ଟରେ ହାଜର ହୋଇ ନାହାନ୍ତି କି ଜାମିନ ପାଇଁ ଆବେଦନ କରି ନାହାନ୍ତି।
ଖବର ମୁତାବକ, ଜରୀନଙ୍କ ବିରୁଦ୍ଧରେ ୨୦୧୮ରେ ୬ ଟି ଇଭେଣ୍ଟରେ ଯୋଗ ଦେଇ ନଥିବା ଅଭିଯୋଗ ହୋଇଥିଲା। କୋଲକାତା ଏବଂ ଉତ୍ତର ୨୪ ପ୍ରଗଣାର ୬ ଟି କାଳୀ ପୂଜା କାର୍ୟ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ତାଙ୍କ ବିରୁଦ୍ଧରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ନରକେଲଡାଙ୍ଗା ଥାନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ ନେଇ ନାରକେଲଡାଙ୍ଗା ପୁଲିସ ସିଆଲ୍ଦା କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟ ଜରୀନଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ଏନେଇ ଜରୀନଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ହେଲେ ସେପଟେ ଅଭିନେତ୍ରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା କୋର୍ଟ ।