ଓଡ଼ିଶା 365 (ବ୍ୟୁରୋ) : ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ଦେଶର କାରିଗର ଓ ଶିଳ୍ପକାର ମାନଙ୍କପାଇଁ ପିଏମ୍ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଭିନ୍ନ ରାଜ୍ୟର ବିଶ୍ବକର୍ମା (କାରିଗର ଓ ଶିଳ୍ପକାର) ମାନଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ପିଏମ୍ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ସମସ୍ତ କାରିଗର ଓ ଶିଳ୍ପୀଙ୍କୁ ତାଲିମ ଦେବା ଉପରେ ଦିଆଯିବ । ପ୍ରଶିକ୍ଷଣ ସମୟରେ ପ୍ରତ୍ୟେକ କାରିଗରଙ୍କୁ କେନ୍ଦ୍ର ସରକାର ଦୈନିକ ୫୦୦ ଟଙ୍କା ଭତ୍ତା ଦେବେ ।
ସେହିପରି ଆଧୁନିକ ଉପକରଣ ପାଇଁ ୧୫ ହଜାର ଟଙ୍କା ଦିଆଯିବ। ବିଶ୍ବକର୍ମା (କାରିଗର ଓ ଶିଳ୍ପକାର) ମାନଙ୍କୁ କେନ୍ଦ୍ର ସରକାର ବିନା ଗ୍ୟାରେଣ୍ଟିରେ ବ୍ୟବସାୟ ଆରମ୍ଭ କରିବାକୁ ରୁଣ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ଏବଂ ଏହାର ସୁଧ ମଧ୍ୟ କମ୍ ରହିବ । ପ୍ରଥମ ଥର ପାଇଁ ନୂଆ ଉପକରଣ ନେଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଏହାକୁ ପରିଶୋଧ କରିବା ପରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ। ପ୍ରଥମ ଋଣ ସୁଝିବାର ଅବଧି ହେଉଛି ୧୮ ମାସ । ଏହା ସୁଝିଲା ପରେ ପୁଣି ଦ୍ବୀତିୟ ଋଣ ମିଳିବ ବୋଲି ଜଣାପଡ଼ିଛି ।