ଓଡ଼ିଶା 365 (ବ୍ୟୁରୋ) : ଏସିଆ କପ୍ ଫାଇନାଲରେ ଭାରତ ପାସ ଶ୍ରୀଲଙ୍କା ଫେଲ୍। ସବୁଠି ଗୋଟିଏ ନାରା ସାବାସ ସିରାଜ । ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍ରେ ହରାଇ ଅଷ୍ଟମ ଥର ଏସିଆ କପ୍ ଚାମ୍ପିଅନ ହେବାରେ ସର୍ବାଧିକ ସଫଳ ଦଳ ହୋଇଛି ଭାରତ। କଲମ୍ବୋରେ ୫୦ ରନରେ ଅଟକିଥିଲା ଶ୍ରୀଲଙ୍କା ରଥ। ଫାଇନାଲରେ ସିରାଜ ବୋଲିଂ ଆଗରେ ଚିତପଟାଙ୍ଗ ମାରିଛି ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା। ମିଆଁଭାଇଙ୍କ ବୋଲିଂରେ କମାଲ କରିବା ସହ ସ୍ଥାପନ କରିଛନ୍ତି ବିଶ୍ୱ ରେକର୍ଡ। ଏହି ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଟିମ୍ ଇଣ୍ଡିଆର ଏହି ସ୍ପିଡ ଷ୍ଟାର ସିରାଜଙ୍କୁ କରିବାକୁ ପଡିଛି ଅନେକ ସଙ୍ଘର୍ଷ। ବ୍ୟାଟର ହେବାକୁ ଆସିଥିବା ଏହି ଖେଳାଳି ଜଣଙ୍କ ସମୟକ୍ରମେ ବନିଯାଇଛନ୍ତି ଭାରତର ଦ୍ରୁତ୍ ବୋଲର। ବିନା କୋଚରେ ଅନ୍ୟକୁ ଦେଖିଦେଖି ଖେଳଆରମ୍ଭ କରିଥିବା ଅଟୋବାଲାଙ୍କ ପୁଅ ସିରାଜ ଆଜି କ୍ରିକେଟର ଚର୍ଚ୍ଚିତ ନାଁ। ଦିଲ୍ଲୀପ ଟ୍ରଫି, ଓ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରେ ଭାରତୀୟ ଦଳରେ କରୁଛନ୍ତି ରାଜ,ହଜାଉଛନ୍ତି ପ୍ରତିପକ୍ଷ ଟିମର ନିଦ। ଏସିଆ କପ ଫାଇନାଲରେ ଭାରତର ପେସ୍ ଆଟାକ୍ ସାମ୍ନାକରି ନପାରି ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନକରି ହୋଇଥିଲା ଅଲଆଉଟ୍ ।
ମହମ୍ମଦ ସିରାଜଙ୍କ ସୁଇଙ୍ଗ ଆଗରେ ଆତ୍ମସମର୍ପଣ କରିଥିଲେ ଶ୍ରୀଲଙ୍କା ବ୍ୟାଟର୍ । ବୋଲିଂରେ ସିରାଜ କମାଲ କରିବା ସହ ଖେଳ ଶେଷ ପରେ ମଧ୍ୟ ମହାନତା ଦେଖାଇଛନ୍ତି। ଫାଇନାଲ୍ ମ୍ୟାଚ୍ର ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାରରାଶି ବାବଦକୁ ପାଇଥିବା ୪ ଲକ୍ଷ ୧୫ ହଜାର ଟଙ୍କାକୁ କଲମ୍ବୋ ଗ୍ରାଉଣ୍ଡ ଷ୍ଟାଫ୍ଙ୍କୁ ଦାନ କରିଛନ୍ତି। ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ପାଇଁ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ହୋଇପାରିଥିବା କହିଛନ୍ତି ସିରାଜ। ଭାରତକୁ ଜିତାଇ ଭାରତୀୟଙ୍କ ମନ ଜିଣିଥିଲେ, ତାଙ୍କର ଏପରି ମହତ୍ କାର୍ଯ୍ୟ ବିଶ୍ୱର କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ନଜର ପକାନ୍ତୁ ସିରାଜଙ୍କ ବିଶ୍ୱ ରେକର୍ଡ ଉପରେ… ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ୭ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୨୧ ରନ ଦେଇ ୬ ୱିକେଟ ନେଇ ଦିନିକିଆରେ କରିଛନ୍ତି ଶ୍ରେଷ୍ଠ ପ୍ରଦର୍ଶନ ସାଜିଛନ୍ତି ଟିମ ଇଣ୍ଡିଆ ବିଜୟର ହିରୋ । ସିରାଜ ନିଜର ଦ୍ୱିତୀୟ ଓଭରରେ ଶ୍ରୀଲଙ୍କାର ୪ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ୍ ପଠାଇ ରେକର୍ଡ ମଧ୍ୟ କରିଛନ୍ତି। -ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ଦ୍ରୁତତମ ୫୦ ୱିକେଟ୍ ପୂରଣ କରିଛନ୍ତି ଏପରି କରିବାରେ ସେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି। ସେହିପରି ମାତ୍ର ୧୬ ବଲରେ ପାଞ୍ଚଟି ୱିକେଟ୍ ନେଇ ସେ ଇତିହାସ ସୃଷ୍ଟି କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ଦ୍ୱିତୀୟ ଥର ପାଇଁ ଘଟିଛି। ଏହାପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଚାମିଣ୍ଡା ବାସ୍ ୨୦୦୩ରେ ବାଂଲାଦେଶ ବିପକ୍ଷରେ ୧୬ ଟି ବଲରେ ପାଞ୍ଚଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ସିରାଜ ଭାସ୍ଙ୍କ ବିଶ୍ୱ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି। -ସିରାଜ ପ୍ରଥମ ଭାରତୀୟ ବୋଲର ଭାବେ ଦିନିକିଆ କ୍ରିକେଟରେ ଗୋଟିଏ ଓଭରରେ ନେଇଛନ୍ତି ୪ଟି ୱିକେଟ୍ । ବିଶ୍ୱର ଦ୍ୱିତୀୟ ବୋଲର ଭାବେ ସିରାଜ ଏଭଳି ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ମହାନ ଶ୍ରୀଲଙ୍କା ବୋଲର ଲାସିଥ ମାଲିଙ୍ଗା ଦିନିକିଆରେ ଗୋଟିଏ ଓଭରରେ ୪ ୱିକେଟ୍ ନେଇ ସଫଳତା ହାସଲ କରିଥିଲେ। ଶ୍ରୀଲଙ୍କା ପ୍ରେମଦାସା ଷ୍ଟାଡିୟମରେ ରୋହିତ୍ ବାହିନୀ ଏସିଆ କପ୍ ଟ୍ରଫି ଧରିତୋଳିବା ସହ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି କ୍ରିକେଟ୍ ଫ୍ୟାନଙ୍କ ହୃଦୟ ଜିତିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ହାତେଇଛନ୍ତି । ଆଗକୁ ଭାରତରେ ବିଶ୍ୱକପ ହେବାକୁ ଥିବାବେଳେ ଭାରତ ପାଇଁ ସିରାଜ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ ବୋଲି ଆଶା ରଖିଛନ୍ତି ଅନେକ ବରିଷ୍ଠ କ୍ରିକେଟର।