ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍ରେ ହରାଇ ଏସିଆ କପ୍ ଚାମ୍ପିଅନ ହୋଇଛି ଭାରତ, ଅଷ୍ଟମ ଥର ଫାଇନାଲରେ ଟ୍ରଫି ଜିତିବାର ରେକର୍ଡ କରିଛି ରୋହିତ ବାହିନୀ । ମହମ୍ମଦ ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟା ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା। ୫ ବର୍ଷ ପରେ ଭାରତ ଜିତିଛି ଟାଇଟଲ୍ । ଏହା ପୂର୍ବରୁ ୨୦୧୮ରେ ବାଂଲାଦେଶକୁ ହରାଇ ଶେଷ ଥର ଚାମ୍ପିଅନ ହୋଇଥିଲା ଭାରତ । ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବାଏହି ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନରେ ଅଲଆଉଟ୍ ହୋଇଥିଲା। ଦିନିକିଆ କ୍ରିକେଟ୍ ଇତିହାସରେ ଏହା ଶ୍ରୀଲଙ୍କାର ଦ୍ଵିତୀୟ ସର୍ବନିମ୍ନ ସ୍କୋର। ଘରୋଇ ଦଳ ପକ୍ଷରୁ କୁଶଳ ମେଣ୍ଡିସ ସର୍ବାଧିକ ୧୭ ଓ ଦୁଶନ ହେମନ୍ତା ୧୩ ରନକରି ଦୁଇ ଅଙ୍କ ଛୁଇଁବାରକୁ ସକ୍ଷମ ହୋଇଥିଲେ। ମହମ୍ମଦ ସିରାଜଙ୍କ ସୁଇଙ୍ଗ ଆଗରେ ଆତ୍ମସମର୍ପଣ କରିଥିଲେ ଶ୍ରୀଲଙ୍କା ବ୍ୟାଟର୍ । ସିରାଜ ନିଜର ଦ୍ୱିତୀୟ ଓଭରରେ ଶ୍ରୀଲଙ୍କାର ୪ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ୍ ପଠାଇ ରେକର୍ଡ କରିବା ସହ ୭ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୨୧ ରନ ଦେଇ ୬ ୱିକେଟ ନେଇ ଟିମ ଇଣ୍ଡିଆ ବିଜୟର ହିରୋ ସାଜିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି, ବୁମରାଙ୍କୁ ମିଳିଛି ଗୋଟେ ୱିକେଟ୍ । ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ନିଜର ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ସଫଳତା ପାଇଛନ୍ତି। ଏହି ସଫଳତା ସହ ସିରାଜ ସ୍ଥାପନ କରିଛି ଅନେକ ରେକର୍ଡ।
ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ଦ୍ରୁତ ତମ ୫୦ ୱିକେଟ୍ ପୂରଣ କରିଛନ୍ତି ଏପରି କରିବାରେ ସେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି। ସେହିପରି ମାତ୍ର ୧୬ ବଲରେ ପାଞ୍ଚଟି ୱିକେଟ୍ ନେଇ ସେ ଇତିହାସ ସୃଷ୍ଟି କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ଦ୍ୱିତୀୟ ଥର ପାଇଁ ଘଟିଛି । ଏହାପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଚାମିଣ୍ଡା ବାସ୍ ୨୦୦୩ରେ ବାଂଲାଦେଶ ବିପକ୍ଷରେ ୧୬ ଟି ବଲରେ ପାଞ୍ଚଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ସିରାଜ ଭାସ୍ଙ୍କ ବିଶ୍ୱ ରେକର୍ଡ ସହିତ ସମାନ ହୋଇଛନ୍ତି । ଶ୍ରୀଲଙ୍କାର ୫୦ ରନର ଟାର୍ଗେଟକୁ ଭାରତ ୬.୧ ଓଭରରେ ୧୦ ୱିକେଟରେ ୫୧ ରନ କରି ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଇଶାନ କିଶନ ୨୩ ଶୁଭମନ ଗିଲ ୨୭ ରନର ଅପରାଜିତ ପାରି ଖେଳିଛନ୍ତି । ଫାଇନାଲ ମ୍ୟାଚରେ ପ୍ରଥମ ଥର ପାଇଁ ସିରାଜ କ୍ୟାରିୟରରେ ୬ ୱିକେଟ ହାସଲ କରି ରୋହିତ ବାହୀନୀକୁ ଚାମ୍ପିଆନ କରିଥିବାରୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ହାତେଇଛନ୍ତି । ତେବେ ସିରାଜଙ୍କ ଏଭଳି ଦମଦାର ପ୍ରଦର୍ଶନ ଭାରତକୁ ବିଶ୍ୱକପରେ ହେବ ସହାୟକ ।