ଓଡ଼ିଶା 365 (ବ୍ୟୁରୋ) : ଆନ୍ଦୋଳନ ହେଉଛି ଚେତା ପଶୁନି। ସରକାର ଶିକ୍ଷକଙ୍କ କଳି ମଧ୍ୟରେ ବଳି ପଡୁଛନ୍ତି ଛାତ୍ରଛାତ୍ରୀ। କିଏ ବୁଝିବ ସେମାନଙ୍କ କଥା, କେମିତି ପଢିବେ, କେମିତି ବଢିବେ ଆଗକୁ,ଅଭିଭାବକଙ୍କୁ ଘାରିଛି ପିଲାଙ୍କ ଭବିଷ୍ୟତ ଚିନ୍ତା। । ସ୍ଥିତି ଏମିତି ହୋଇଛି ଉପର ଶ୍ରେଣୀ ପିଲା ତଳଶ୍ରେଣୀ ପିଲାଙ୍କ କ୍ଳାସ ନେଉଛନ୍ତି,କେବେ ସ୍କୁଲ ଖୋଲିବ,କେବେ ଶିକ୍ଷକ ଫେରିବେ,କେବେ ପାଠପଢା ଆରମ୍ଭ ହେବ ଏ ଉର୍ତ୍ତର କାହା ପାଖରେ ନାହିଁ। ସେପଟେ ପିଅନଠୁ ଶିକ୍ଷକଙ୍କ ଦରମା କମ୍,ଏକଥା ଶୁଣି ମଧ୍ୟ ବୁଦ୍ଧିମାନେ ତାଜୁବ ହୋଇଛନ୍ତି।
ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରାୟ ୫୦ ହଜାର ସ୍କୁଲରେ ତାଲା ପଡ଼ିଛି । ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ୩ ଦଫା ଦାବି ନେଇ ୭ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ବସିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ,କିନ୍ତୁ ସେପଟେ ଭାଙ୍ଗୁନି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ। ସେ ନିର୍ବାଚନ ହେଉ ଅବା ଜନଗଣନା କଥା ଆସିଲେ ସରକାର ମନେ ପକାନ୍ତି ଶିକ୍ଷକଙ୍କୁ,ଆଉ ତାପରେ ସବୁ ଭୁଲିଯାନ୍ତି ସରକାର। ଶିକ୍ଷକ ହକ ମାଗୁଛନ୍ତି ମାତ୍ର ସରକାର ନାଲିଆଖି ଦେଖାଉଛନ୍ତି ।
ସମାନ କାମକୁ ସମାନ ଦରମା ଉକ୍ତିଟି ଶିକ୍ଷକଙ୍କ ପାଇଁ ସାତ ସ୍ୱପ୍ନ ପାଲଟିଛି। ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଏନେଇ ସବୁ ବିଇଓ ଏବଂ ଡିଇଓଙ୍କୁ ଚିଠି ଲେଖିଛନ୍ତି ସରକାର । ଏଥିରେ କୁହାଯାଇଛି ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇ ନାହାନ୍ତି । ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ । ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ଏପଟେ ସରକାର ଶିକ୍ଷକମାନଙ୍କୁ ବୁଝେଇବାକୁ ଯାଇ କହିଛନ୍ତି, ଏକ ସବକମିଟି ଗଠନ କରାଯାଇଛି । କମିଟି ଶିକ୍ଷକଙ୍କ ତିନିଟି ଦାବି ଉପରେ ତର୍ଜମା କରିବ ।
କମିଟି ରିପୋର୍ଟ ଦେବା ପରେ ଶିକ୍ଷକଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି। ମାତ୍ର ଏହା ସର୍ତ୍ତେ ମଧ୍ୟ ଧାରଣା ଜାରି ରହିଛନ୍ତି ଶିକ୍ଷକ। ପୂର୍ବରୁ ସରକାର ଏଭଳି ପ୍ରତିଶ୍ରୁତି ଦେଇଥିଲେ ମାତ୍ର ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି । ପ୍ରତିଶ୍ରୁତି ପୂରଣ ନହେବା ଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ରୋକଠୋକ କହିଛି ପ୍ରାଥମିକ ଶିକ୍ଷକ ସଂଘ । ଏହାରି ଭିତରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । କେବେ ହଟିବ ଠିକା ଶିକ୍ଷକ ପ୍ରଥା, କେବେ ମିଳିବ ସମାନ କାମକୁ ସମାନ ଦରମା,କେବେ ଶିକ୍ଷକଙ୍କ ଗୁରୁତ୍ୱକୁ ବୁଝିବେ ସରକାର ।