ଓଡ଼ିଶା 365 (ବ୍ୟୁରୋ): କଟକରେ ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଲୋକାର୍ପିତ କରିଛନ୍ତି ନବୀନ। ପ୍ରଥମେ ବସ୍ ଟର୍ମିନାଲ ବୁଲି ଦେଖିଥିଲେନବୀନ । ଏହାପରେ ଏହାର ଉଦଘାଟନ କରିଛନ୍ତି। ତେବେ ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍ ଗଡ଼ିଛି । ବସ ଟର୍ମିନାଲରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।
୧୫ ଏକର ପରିମିତ ଜମି ଉପରେ ତିଆରି କରାଯାଇଥିବା ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା । ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଡ୍ରାଇଭର ଏବଂ ବସ୍ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ବସ୍ ରହଣି ସ୍ଥାନ ରହିଛି । ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ବସ୍ ଟର୍ମିନାଲରେ ୫୨ ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ୨୦ ଟି ‘ମୋ ବସ୍’ ରହଣୀର ସୁବିଧା ରହିଛି । କଟକ ମହାନଗର ନିଗମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ, ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ ।