ଓଡ଼ିଶା 365 (ବ୍ୟୁରୋ): ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ୱାନର ମାଲିକ ତପନ ମହାନ୍ତି ଓ ତାଙ୍କ ପୁଅଙ୍କୁ ଆଜି ଜେରା କରିଛି ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) । ୩ ଘଣ୍ଟାର ଜେରା ଭିତରେ ରିଅଲ ଇଷ୍ଟେଟ ବ୍ୟବସାୟୀ ବାପ ପୁଅଙ୍କୁ ଇଓଡବ୍ଲ୍ୟୁ ଅନେକ ପ୍ରଶ୍ନ କଚାରିଥିବା ଜଣାପଡ଼ିଛି। ଜେଡ୍ ୱାନ୍ର ରଘୁନାଥପୁର ସ୍ଥିତ ଆପାର୍ଟମେଣ୍ଟରେ ନିର୍ମାଣ ବେଳେ ଅନେକ ଅନିୟମିତତା ହୋଇଥିବା ନେଇ ଓନର ଆସୋସିଏସନ୍ ତାଙ୍କ ନାଁରେ ଇନଫୋସିଟି ଥାନାରେ ଏତଲା ଦେଇଥିଲା। ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାର ନଥିଲା, ସେଠାରେ ନିର୍ମାଣ କାର୍ଯ୍ୟ ହୋଇଥିଲା। ଏମିତି ଅନେକ ଅଭିଯୋଗ ନେଇ ଆସୋସିଏସନ୍ ପକ୍ଷରୁ ତାଙ୍କ ନାଁରେ ଅଭିଯୋଗ କରିଥିଲା। ଦୀର୍ଘ ଦିନରୁ ଏନେଇ ଅଭିଯୋଗ ପାଇଥିବା ସତ୍ତ୍ୱେ ପୁଲିସ୍ ଚୁପ୍ ବସିଥିଲା। ମାମଲା ରୁଜୁ କରି ନଥିଲା। କିନ୍ତୁ ଏଇ କିଛି ଦିନ ତଳେ ହଠାତ୍ ସକ୍ରିୟ ହୋଇଥିଲା ପୁଲିସ୍। ମାମଲା ରୁଜୁ କରିଥିଲା ଓ ରଘୁନାଥପୁର ସ୍ଥିତ ଜେଡ୍ ୱାନ୍ ଆପର୍ଟମେଣ୍ଟରେ ଚଢ଼ାଉ କରିଥିଲା। ପରେ ଏହି ମାମଲାକୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)କୁ ହସ୍ତାନ୍ତର କରାଯାଇଥିଲା। ଏଣୁ କିଛି ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିବା କୁହାଯାଉଛି।
ତେବେ ତଦନ୍ତକାରୀ ଅଧିକାରୀ ଅବା ତପନ ମହାନ୍ତିଙ୍କ ପକ୍ଷରୁ ଅଭିଯୋଗ ନେଇ କିଛି କୁହାଯାଇନାହିଁ। ଇଓଡବ୍ଲ୍ୟୁ ପକ୍ଷରୁ ଆଜି ତପନ ମହାନ୍ତି ଓ ତାଙ୍କ ପୁଅଙ୍କୁ ପଚରାଉଚରା ପାଇଁ ଡକା ଯାଇଥିଲା। ସେମାନେ ଦିନ ପ୍ରାୟ ୧୧ଟା ବେଳେ ଆସି ଇଓଡବ୍ଲ୍ୟୁରେ ହାଜର ହୋଇଥିଲେ। ପ୍ରଥମେ ତପନ ମହାନ୍ତିଙ୍କ ପୁଅଙ୍କୁ ପଚରାଉଚରା କରାଯାଇଥିଲା। ତା’ପରେ ତପନ ମହାନ୍ତିଙ୍କୁ ପଚରାଉଚରା କରାଯାଇଥିଲା। ତେବେ ଏଥିରେ କି କି ପ୍ରଶ୍ନ ପଚାରିଥିଲେ ଓ ଜେରାବେଳେ କି ସୁରାକ ପାଇଛି ଇଓଡବ୍ଲ୍ୟୁ ସେନେଇ କିଛି ଜଣାପଡ଼ିନି।