ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ କଶ୍ମୀରର ସେନାକୁ ବଡ଼ ସଫଳତା ମିଳିଛି । ବାରମୂଳା ଜିଲ୍ଲାରେ ସେନା ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ ବାରମୂଳା ଜିଲ୍ଲାର ହାଥ୍ଲାଙ୍ଗ୍ ଅନ୍ତର୍ଗତ ଉରିର ‘ଫର୍ୱାର୍ଡ’ ଅଞ୍ଚଳରେ ସେନା ଓ ବାରମୂଳା ପୁଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ସହିତ ମୁହାଁମୁହିଁ ହୋଇଥିଲେ । ପରେ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲେ । ଏଥିରେ ୨ ଜଣ କୁକ୍ଷାତ ଆତଙ୍କବାଦି ନିପାତ ହୋଇଥିବା ପୁଲିସ କହିଛି । ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି। ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ୪ ଦିନ ହେବ ଆତଙ୍କବାଦୀ ଓ ନିରପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ଲାଗି ‘ଡ୍ରୋନ୍ ସର୍ଭିଲେନ୍ସି’ ମଧ୍ୟ ଜାରି ରହିଛି । ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା ବଳ ଆହୁରି କିଛି ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ କରୁଛି। ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ କଶ୍ମୀର ପୁଲିସ ଲଗାତାର ପ୍ରୟାସ ଜାରି ରଖିଛି ।