ଓଡ଼ିଶା365(ବ୍ୟୁରୋ): ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ତେବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆମେ ରହୁଥିବା ଏହି ପୃଥିବୀର ସ୍ୱାସ୍ଥ୍ୟ। ନିକଟରେ ହୋଇଥିବା ଅନୁଧ୍ୟାନ ରିପୋର୍ଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି, ଯାହା ଏବେ ସାଜିଛି ଚିନ୍ତାର କାରଣ। ପୃଥିବୀର ଛଅଟି ଅଙ୍ଗ ବର୍ତ୍ତମାନ ଦୁର୍ବଳ ହୋଇପଡିଥିବା ରିପୋର୍ଟରେ ଦର୍ଶାଇଛନ୍ତି ବୈଜ୍ଞାନିକ। ଯଦି ପୃଥିବୀର ସ୍ୱାସ୍ଥ୍ୟ ଦୁର୍ବଳ ହୋଇଯାଏ ତେବେ ଏହା ମାନବ ସମାଜ ପାଇଁ ନିଶ୍ଚିତ ଭାବରେ ବିପଦସଙ୍କେତ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।
ସାଇନ୍ସ ଆଡଭାନ୍ସ ପତ୍ରିକାରେ ଏହି ଅନୁସନ୍ଧାନର ରିପୋର୍ଟ ପ୍ରକାଶ ପାଇଛି। ଜର୍ମାନୀର ପୋଟସଡାମ ଇନଷ୍ଟିଚ୍ୟୁଟ୍ ଫର କ୍ଲାଇମେଟ ଇମ୍ପାକ୍ଟ ରିସର୍ଚ୍ଚର ନିର୍ଦ୍ଦେଶକ ଜୋହାନ ରକଷ୍ଟ୍ରୋମଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଟିମ୍ ଏହି ଅନୁଧ୍ୟାନ କରିଛନ୍ତି। ଅନୁସନ୍ଧାନକାରୀ ଟିମ୍ ପୃଥିବୀର ସାମଗ୍ରିକ ସ୍ୱାସ୍ଥ୍ୟର ଆକଳନ କରିବାକୁ ନଅଟି ବ୍ୟାପକ କ୍ଷେତ୍ର ଚିହ୍ନଟ କରିଥିଲେ। ଯାହା ଉପରେ ସେମାନେ ଅନୁଧ୍ୟାନ କରିଛନ୍ତି। ଏଥିମଧ୍ୟରେ ଜଳବାୟୁ, ଜୈବ ବିବିଧତା, ମୃତ୍ତିକା, ମଧୁର ଜଳ, ପୋଷକ ତତ୍ତ୍ୱ ପ୍ରଦୂଷଣ, ମାଇକ୍ରୋପ୍ଲାଷ୍ଟିକ୍ ଏବଂ ଆଣବିକ ବର୍ଜ୍ୟବସ୍ତୁ ପରି ମାନବ ନିର୍ମିତ ଯୌଗିକ ଭଳି ନୋବେଲ୍ ରାସାୟନିକ ପଦାର୍ଥ ଅନ୍ତର୍ଭୁକ୍ତ।
ଅଧ୍ୟୟନ ଅନୁଯାୟୀ, ଏହି ସବୁ କାରକଗୁଡ଼ିକ ବର୍ତ୍ତମାନ ଅସନ୍ତୁଳିତ ହୋଇପଡ଼ିଛି। କେବଳ ମହାସାଗରର ଅମ୍ଳତା, ବାୟୁର ସ୍ୱାସ୍ଥ୍ୟ ଏବଂ ଓଜୋନ୍ ସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି। ଅନୁସନ୍ଧାନର ମୁଖ୍ୟ ରକଷ୍ଟ୍ରୋମ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି ଯେ, ‘ଆମେ ବହୁତ ଖରାପ ସ୍ଥିତିରେ ଅଛୁ। ବର୍ତ୍ତମାନ ପୃଥିବୀର ସନ୍ତୁଳନ ହ୍ରାସ ପାଉଛି, ଲୋକେ ରୋଗାଗ୍ରସ୍ତ ହେଉଛନ୍ତି। ଏସବୁ କାରକଗୁଡିକ ଅସନ୍ତୁଳ ହେବାରୁ ପୃଥିବୀର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡ଼ିବାରେ ଲାଗିଛି । କମ୍ପ୍ୟୁଟର ସିମ୍ୟୁଲେସନ୍ସ ବ୍ୟବହାର କରି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି, ଜଳବାୟୁ କିମ୍ବା ଜୈବ ବିବିଧତା ହ୍ରାସ ଘଟିବା ଫଳରେ ନାନା ସମସ୍ୟା ସୃଷ୍ଟି ହେଉଛି। ତଥାପି କେତେକ କ୍ଷେତ୍ର ଅଛି, ଯଦି ଆମେ ତା’ର ଯତ୍ନ ନେଇପାରିବା ତେବେ ଅନ୍ୟ କ୍ଷେତ୍ରଗୁଡିକ ଉପରେ ଏହାର ଭଲ ପ୍ରଭାବ ପଡିପାରେ। ଉଦାହରଣ ସ୍ୱରୂପ, ଜମି ସଫା କରିବା ଏବଂ ଜଙ୍ଗଲ ସଂରକ୍ଷଣ କରିବା ଦ୍ୱାରା ବାୟୁମଣ୍ଡଳକୁ ଯାଉଥିବା କାର୍ବନ ଡାଇଅକ୍ସାଇଡ୍ ନିୟନ୍ତ୍ରିତ ହୋଇପାରିବ । ତେଣୁ ପୃଥିବୀ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସମଗ୍ର ବିଶ୍ୱକୁ ବୈଜ୍ଞାନିକମନାନେ ଆହ୍ୱାନ କରିଛନ୍ତି । କାରଣ ବେଳ ଥାଉ ଥାଉ ସଚେତନ ନହେଲେ ସବୁକିଛି ବିଗିଡ଼ିଯିବ ।