ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ-କାଶ୍ମୀରରେ ଜୋରଦାର ଚାଲିଛି ଆତଙ୍କବାଦୀ ନିରୋଧି ଅଭିଯାନ । ଚାରିଆଡେ ସୁରକ୍ଷା ବ୍ୟବସ୍ଥା କଡ଼ାକ଼ଡ଼ି କରାଯାଇଛି । ଅନନ୍ତନାଗ ଜିଲ୍ଲାରେ ସେନା ତରଫରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।ପାହାଡ଼ ଉପରେ ଲୁଚି ରହି ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଆଜି ଡ୍ରୋନ୍ ଆକ୍ରମଣ ହୋଇଛି। ଡ୍ରୋନ୍ରୁ ଦୁଇଟି ପର୍ଯ୍ୟାୟରେ ବୋମାମାଡ଼ ହେଉଛି । ଏହାସହ ପାରା କମାଣ୍ଡୋ ମଧ୍ୟ କୋକରନାଗ ପାହାଡ଼ରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରରୁ ତାଲିମ ନେଇ ଆସିଥିବା ୩ ଜଣ ଆତଙ୍କବାଦୀ କୋକରନାଗ ପାହାଡ଼ରେ ଲୁଚିଥିବା କୁହାଯାଉଛି । ଗତକାଲି ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆହତ ହୋଇଥବା ଜଣେ ଯବାନଙ୍କ ଆଜି ମୃତ୍ୟୁ ହୋଇଯାଇଛି। ବୁଧବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଦୁଇଜଣ ସେନା ଅଧିକାରୀ – କର୍ଣ୍ଣେଲ ଓ ମେଜର ଏବଂ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଟିଆର୍ଏଫ୍ (ଦ ରେଜିଷ୍ଟାନ୍ସ ଫୋର୍ସ)ର ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି । ଆଜି ମିଳିତ ସୁରକ୍ଷାବାହିନୀର ଅପରେସନରେ ଡ୍ରୋନ୍କୁ ନିୟୋଜିତ କରାଯାଇଛି ।
ସେପଟେ ଶୁକ୍ରବାର ସକାଳେ ଜଙ୍ଗଲ ଅଞ୍ଚଳରୁ ନୂଆ ବିସ୍ଫୋରଣ ଏବଂ ପ୍ରବଳ ଗୁଳିଗୋଳା ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ସର୍ଚ୍ଚ ଅପରେସନ ଅପରାହ୍ଣ ପର୍ଯ୍ୟନ୍ତ ଜାରି ରହିଥିଲା। ନିହତ ହୋଇଥିବା ଚାରିଜଣଙ୍କ ମଧ୍ୟରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଏବଂ ଡିଏସ୍ପି ହୁମାୟୁନ ଭଟ୍ଟ ଅଛନ୍ତି। ଶୁକ୍ରବାର ସକାଳେ କର୍ଣ୍ଣେଲ ସିଂହ ଏବଂ ମେଜର ଆଶିଷ ଧୋନଚକଙ୍କ ମୃତଦେହ ପାନିପଥରେ ଥିବା ସେମାନଙ୍କ ବାସଭବନକୁ ଅଣାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ସେମାନଙ୍କ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।