ଓଡ଼ିଶା 365 (ବ୍ୟୁରୋ) : ଲଢିଲେ ଗିଲ୍ ହାରିଲା ଭାରତ। ଶୁଭମନଙ୍କ ଲଢ଼ୁଆ ଶତକ ସର୍ତ୍ତେ ଏସିଆ କପ୍ ସୁପର-୪ର ଶେଷ ମ୍ୟାଚ୍ରେ ୬ରେ ବାଂଲାଦେଶଠୁ ପରାସ୍ତ ହୋଇଛି ଭାରତ । ଦିନିକିଆରେ ଅନ୍ତର୍ଜାତୀୟରେ ୫ମ ଶତକ ହାସଲ କରିଛନ୍ତି ଗିଲ୍। ୨୦୨୩ କ୍ୟାଲେଣ୍ଡର ବର୍ଷରେ ୧ହଜାର ରନ୍ କରି ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ୍, କୋହଲି ସହ ସମକକ୍ଷ ହୋଇଛନ୍ତି । ଏହି ସଫଳତା ହାସଲ କରିବାରେ ସେ ୧୩ତମ ଭାରତୀୟ ହୋଇଛନ୍ତି। 1998 ରେ 1894 ରନ୍ ସହ ସଚିନ୍ ତେନ୍ଦୁଲକର ତାଲିକାର ଶୀର୍ଷରେ ରହିଛନ୍ତି।ଏସିଆ କପ୍ରେ ପ୍ରଥମ ପରାଜୟର ସ୍ଵାଦ ଚାଖିଛି ରୋହିତବାହିନୀ । ଭାରତ ମ୍ୟାଚ ହାରିଥିଲେ ମଧ୍ୟ ଶତକ ମାରି ହୃଦୟ ଜିତିଛନ୍ତି ଭାରତ ପାଇଁ ସଙ୍କଟମୋଚକ ସାଜିଥିବା ଭାରତର ଷ୍ଟାର ଓପନର ଶୁଭମନ ଗିଲ। ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତର ଟପ ବ୍ୟାଟିଂ ଅର୍ଡର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ପ୍ରତିପକ୍ଷ ପାଇଁ ଟେନସନର କାରଣ ସାଜିଥିଲେ ଶୁଭମନ ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଲଢୁଆ ସ୍କୋର କରିଥିଲା। ଜବାବରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତ ୪୯.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଛି। ଗିଲ୍ ୧୩୩ ବଲରୁ ୧୨୧ ରନର ପାରିଖେଳିଥିଲେ ସେଥିରେ ୮ଚୌକା,୫ଛକା ସାମିଲ୍ ହୋଇଥିଲା। ଉଭୟ ଦିନିକିଆ,ଟି-୨୦,ଟେଷ୍ଟକ୍ରିକେଟର ତିନୋଟି ଫର୍ମାଟରେ ଶତକ ମାରି ଭାରତର ଶତକ ରାଜା ପାଲଟିଛନ୍ତି,ଆଇପିଏଲରେ ମଧ୍ୟ କରିଛନ୍ତି ଶତକ ବର୍ଷା। ଏଥିସହ ଗିଲଙ୍କ ବ୍ୟାଟରୁ ଦ୍ବି-ଶତକୀୟ ପାରି ମଧ୍ୟ ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ଗଣା ହେଉଛନ୍ତି ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ଶୁଭମନ । ଆଗକୁ ବିଶ୍ବକପ ଥିବା ବେଳେ ଗିଲ୍ ଭାରତ ପାଇଁ ଟ୍ରମ୍ପକାର୍ଡ ସାଜିପାରନ୍ତି ବୋଲି ଅନେକ ବରିଷ୍ଠ କ୍ରିକେଟର ମତ ରଖିଛନ୍ତି।