ଓଡ଼ିଶା 365 (ବ୍ୟୁରୋ) : ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସଞ୍ଜୟ କୁମାର ମିଶ୍ର ପ୍ରାୟ ୪ ବର୍ଷରୁ ଅଧିକ ସମୟ ଧରି ଇଡି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାର ତାଙ୍କୁ ୨୦୧୮ରେ ଇଡି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ। ବର୍ତ୍ତମାନ ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନ ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ରାହୁଲ ନବୀନ ହେଉଛନ୍ତି ୧୯୯୩ ବ୍ୟାଚ୍ ର ଆଇଆରଏସ ଅଫିସର। ରାହୁଲ ନବୀନ ସ୍ୱତନ୍ତ୍ର ନିର୍ଦ୍ଦେଶକ ହେବା ସହ ଇଡି ମୁଖ୍ୟାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।ସୂଚନା ଅନୁସାରେ, କେନ୍ଦ୍ର ପକ୍ଷରୁ ତାଙ୍କୁ ୩ଥର ଅବଧି ବୃଦ୍ଧି କରାଯାଇଥିଲା। ଏହି ପଦକ୍ଷେପକୁ ବିରୋଧୀମାନେ ସମାଲୋଚନା କରିବା ସହ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତ ଜୁଲାଇ ମାସରେ ସୁପ୍ରିମ୍ କୋର୍ଟ ସଞ୍ଜୟ କୁମାର ମିଶ୍ରଙ୍କ ତୃତୀୟ ଅବଧି ବୃଦ୍ଧିକୁ ବେଆଇନ ଘୋଷଣା କରିଥିଲେ। ଯାହା କି ୧୮ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ।