ଓଡ଼ିଶା 365 (ବ୍ୟୁରୋ): ଚଳିତ ବର୍ଷ ପାର୍ବଣ ସମୟରେ ରାଜଧାନୀରେ ଆଦାୟ ହେବନି ପୂଜା ପାଇଁ ଗ୍ରାଉଣ୍ଡ ରେଣ୍ଟ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଗକୁ ଆସୁଥିବା ଗଣେଶ ପୂଜା, ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଭୁବନେଶ୍ୱର ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ ବୋଲି ସ୍ପଷ୍ଠ ହୋଇଛି । ପାର୍ବଣ ଋତୁରେ ଏସବୁ ପୂଜା ସରକାରୀ ଜାଗାରେ ସାମୟିକ ଭାବେ ଅନୁଷ୍ଠିତ ହୋଇଥାଏ । ମାତ୍ର ଚଳିତବର୍ଷ ସରକାରୀ ଜାଗାରେ ଏସବୁ ପୂଜା ନିମନ୍ତେ କୌଣସି ପ୍ରକାରର ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ବିଏମସିକୁ କୁହାଯାଇଛି ।