ଓଡ଼ିଶା 365 (ବ୍ୟୁରୋ): ଆଜି କଟକ ସହର ପାଇଁ ଖୁସିର ଦିନ। କଟକ ସହର ବାସୀଙ୍କୁ ଆଜି ୫୪୧ କୋଟି ଟଙ୍କାର ପୂଜା ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ଚାରିଟାରେ ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚି ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରାୟ ୧୬ ଏକର ଜାଗାରେ ମୁଣ୍ତଟେକି ଠିଆ ହୋଇଛି ଏହି ବସ ଟର୍ମିନାଲ । କଟକ ଖାନନଗର ନିକଟରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ଏକକାଳୀନ ୧୯୧ ଟି ବସ ରହିପାରିବ । ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ, ସପିଂମଲ , ଟ୍ୟାକ୍ସି ଏବଂ ଅଟୋରିକ୍ସା ରହଣିସ୍ଥଳ ସହିତ ହାଇଟେକ୍ ଭୋଜନାଳୟର ମଧ୍ୟ ସୁବିଧା ଏଠାରେ ଉପଲବ୍ଧ ହେବ। ଖାଳି ଏତିକି ନୁହେଁ ଏକାକାଳୀନ ୧୩ ଟି ବୃହତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
ଆଜିଠାରୁ ଟର୍ମିନାଲକୁ ଯାତ୍ରୀବାହି ବସ ପ୍ରବେଶ କରିବ । କିନ୍ତୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଲାଗି ଆହୁରି କିଛି ଦିନ ସମୟ ଲାଗିବ । କାରଣ ଟର୍ମିନାଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ନିର୍ମାଣ କାମ ଜାରି ରହିଛି।