ଓଡ଼ିଶା 365 (ବ୍ୟୁରୋ) : ଛାତ୍ରଛାତ୍ରୀଙ୍କୁ ଟିସି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ । ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ହଁ ଆଜ୍ଞା, ମୋଟ ୪୭ ଲକ୍ଷ ଟଙ୍କା ଠକିଥିବା ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥାର ପୂର୍ବତନ ଡାଇରେକ୍ଟର ତଥା କର୍ମଚାରୀ ସ୍ବାଧୀନ ମହାପାତ୍ରଙ୍କୁ ଗିରଫ କରିଛି ପୁଲିସ । ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରେ ଥିବା ୟୁନିଭରସିଟିରୁ ଟ୍ରାନ୍ସଫର ସାର୍ଟିଫିକେଟ ଆଣିଦେବା ନାଁରେ ଜଣଙ୍କା ପିଛା ୬୦ରୁ ୭୦ ହଜାର ଲେଖାଏଁ ନେଇଥିଲେ । ଋଷ ୟୁକ୍ରେନ ଯୁଦ୍ଧ ସମୟରେ ଅନେକ ଡାକ୍ତର ପାଠ ପଢୁଥିବା ଛାତ୍ରଛାତ୍ରୀ ଭାରତ ଫେରିଥିଲେ । ସେଥିରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ରହିଥିଲେ । ତେବେ ଆଗକୁ ପାଠ ପଢ଼ିବା ପାଇଁ (ଟି ସି) ର ଆବଶ୍ୟକ ରହିଥାଏ । ତେବେ ଏହି ଟ୍ରାନ୍ସଫର ସାର୍ଟିଫିକେଟ ବାହାର କରିବା ପାଇଁ କଲେଜ ସହ ଯୋଗଯୋଗ କରି ବିଫଳ ହୋଇଥିଲେ ଛାତ୍ରଛାତ୍ରୀ । ତେଣୁ ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀଙ୍କ ଠକିଥିଲା ଏକ ଫ୍ରଡ ସଂସ୍ଥା । ଏହି ଠକେଇକୁ ନେଇ ଏସିପି ଗୌତମ କିଶନ କହିଛନ୍ତି, ‘‘ଛାତ୍ରଛାତ୍ରୀଙ୍କ ସମସ୍ୟାର ଫାଇଦା ଉଠାଇ ଲକ୍ଷାଧିକ ଟଙ୍କ ଠକି ନେଇଛି ଏହି ସଂସ୍ଥା ।
ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥାର ପୂର୍ବତନ ଡାଇରେକ୍ଟର ସ୍ବାଧୀନ ମହାପାତ୍ର ତାଙ୍କର ଅନେକ ୟୁକ୍ରେନ ୟୁନିଭରସିଟି ସହ ଯୋଗାଯୋଗ ଅଛି ବୋଲି କହି ଛାତ୍ରଛାତ୍ରୀଙ୍କ ମନରେ ବିଶ୍ବାସ ଜମାଇଥିଲେ । ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥାର ମଧ୍ୟ ଅନେକ ଛାତ୍ରଛାତ୍ରୀ ୟୁକ୍ରେନକୁ ପଢିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ସ୍ବାଧୀନ ମହାପାତ୍ର ପିଲାଙ୍କୁ ସହଜରେ ଟିସି ଆଣିଦେବେ କହି ଜଣକା ୬୦ରୁ ୭୦ ହଜାର ଲେଖାଏଁ ଠକି ନେଇଥିଲେ । ସାର୍ଟିଫିକେଟ ନପାଇବାରୁ ଛାତ୍ରଛାତ୍ରୀ ଆସି ଇନଷ୍ଟିଟ୍ୟୁସନ ଆଗରେ ହୋ ହଲ୍ଲା ସହ ଥାନା ମଧ୍ୟ ଘେରାଉ କରିଥିଲେ । ପରେ ଏହି ଘଟଣାରେ ଗ୍ଲୋବାଲ ଫୋକସ ଏଜୁକେସନ ପକ୍ଷରୁ ଥାନାରେ ପୂର୍ବତନ ନିର୍ଦ୍ଦେଶକ ନାଁରେ ଏତଲା ପରେ ଏନେଇ ଠକକୁ ଗିରଫ କରିଛି ସହିଦନଗର ଥାନା ପୁଲିସ।