ଓଡ଼ିଶା 365 (ବ୍ୟୁରୋ) : ହରିୟାଣାର ନୁହରେ ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ମାମନ ଖାନଙ୍କୁ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ମାମନ ଖାନଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା । ହେଲେ ମାମନ ଖାନଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ହିଂସାକାଣ୍ଡ ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ହରିୟାଣା ପୋଲିସ ବିଳମ୍ବିତ ରାତିରେ ରାଜସ୍ଥାନର ଫିରୋଜପୁର ଅଂଚଳରୁ କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିଥିଲା। ଜୁଲାଇ ୩୧ରେ ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସଂପର୍କରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ମଧ୍ୟରୁ କଂଗ୍ରେସ ବିଧାୟକ ମାମନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ତାଙ୍କ ବିରୋଧରେ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଥିବା ଜଣାପଡ଼ିଛି । ଏହାସହ ଆଇନ ସୃଙ୍ଖଳାକୁ ଦୃଷ୍ଟିରେ ଜିଲ୍ଲାରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ୧୬ ସେପ୍ଟେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ମାମନ ଖାଁ ଗିରଫ ହେବା ପରେ ହରିୟାଣା ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ମାମନ ଖାଁଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା। ଏହା ପରେ ଜିଲାରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ନୁହ ଜିଲାରେ କଂଗ୍ରେସ ବିଧାୟକ ମାମନ ଖାଁ ଗିରଫ ହେବା ପରେ ଉତ୍ତେଜନା, ହିଂସା, ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବା ଏବଂ ଏହି ଅଞ୍ଚଳରେ ସାର୍ବଜନିନ ଶାନ୍ତି ଭଙ୍ଗ ହେବା ଦୃଷ୍ଟିରେ ରଖି ଧାରା ୧୪୪ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।