ଓଡ଼ିଶା 365 (ବ୍ୟୁରୋ): ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି ବୁଧବାର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ । ଫଳରେ ରାଜ୍ୟରେ ଏହାର ସିଧା ପ୍ରଭାବ ନରହିବାରୁ ଆଜିଠାରୁ ଧୀରେ ଧୀରେ କମିବ ବର୍ଷାର ପରିମାଣ। ରାଜ୍ୟର ବିିଭିନ୍ନ ସ୍ଥାନରେ ଗତ ବୁଧବାରଠାରୁ ବର୍ଷା ଲାଗି ରହିଛି। ବଲାଙ୍ଗୀର ଜିଲ୍ଳାର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ବରଗଡ଼, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୦ ସେମିରୁ ଅଧିକ ବର୍ଷା ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ। ବଲାଙ୍ଗୀରର ଦେଓଗାଁରେ ସର୍ବାଧିକ ୧୯ ସେମି ବର୍ଷା ରେକର୍ଡ ହୋଇଥିବା ବେଳେ ଗୁଡ଼ବେଲାରେ ୧୩, ବଲାଙ୍ଗୀରରେ ୧୧, କଳାହାଣ୍ଡିର କରଲାମୁଣ୍ଡାରେ ୧୧, ନରଲାରେ ୧୧, ବରଗଡ଼ର ଗାଇସିଲେଟରେ ୧୧, କନ୍ଧମାଳ ବାଲିଗୁଡ଼ାରେ ୧୦, ନୂଆପଡ଼ାରେ ୧୦, ବରଗଡ଼ର ବିଜେପୁରରେ ୧୦ ସେମି ବର୍ଷା ରେକର୍ଡ ହୋଇଛି।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।