ଓଡ଼ିଶା 365 ବ୍ୟୁରୋ): ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ତୁଟିଲା ନୀତି ବିଭ୍ରାଟ । ପୂର୍ବପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିଛି। ଠାକୁରଙ୍କୁ ବଡ଼ ମହାସ୍ନାନ କରାଇବା ସହ ସେବାୟତମାନେ ନୀତିକାନ୍ତି କରାଇଛନ୍ତି । ଦୀର୍ଘ ୬ ଘଣ୍ଟା ଧରି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଆରମ୍ଭ ହୋଇଛିନୀତିକାନ୍ତି । ସେବାରୁ ନିବୃତ୍ତ ଥିବା ଜଣେ ସିଂହାରୀ ସେବାୟତ ମହାପ୍ରଭୁଙ୍କ ମଙ୍ଗଳଆଳତୀ କରିବାରୁ ଏହାକୁ ନେଇ ଦେଖାଦେଇଥିଲା ବିବାଦ । ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତଙ୍କ ଜିଦ୍ ଧରିଥିଲେ । ଯାହା ଫଳରେ ମହାପ୍ରଭୁଙ୍କ ମଇଲମ ନୀତି ପରେ ଅଟକି ରହିଥିଲା ନୀତିକାନ୍ତି।
ସୂଚନାଯୋଗ୍ୟ ଯେ, ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ନିଯୋଗ ପକ୍ଷରୁ ମହାପ୍ରଭୁଙ୍କ ସେବାରୁ ନିଲମ୍ବିତ କରାଯାଇଥିଲା । ହେଲେ ଶୁକ୍ରବାର ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଏଣୁ ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ହେଲେ ଏହା ପରଠାରୁ ନୀତିକାନ୍ତିରେ ଦେଖାଦେଇଥିଲା ବିଭ୍ରାଟ । ଯାହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ଦେଖାଦେଇଥିଲା ବିଳମ୍ବ । ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଥିଲେ । ନୀତି ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହାର ସମାଧାନ ହୋଇଛି ।