ଓଡ଼ିଶା 365 (ବ୍ୟୁରୋ): ଆଜି ସକାଳେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଘଟିଛି ବଡ଼ ଧରଣର ଦୁର୍ଘଟଣା। ରାସ୍ତାରେ ଅଟକି ରହିଥିବା ଏକ ତେଲ ଟ୍ୟାଙ୍କରକୁ ଆମ୍ବୁଲାନସ୍ ଧକ୍କା ଦେବା ଫଳରେ ଓଡ଼ିଶାର ୪ଜଣ ଲୋକ ପ୍ରାଣ ହରାଇଥିବା କଥା ‘ଦି ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରେ ପ୍ରକାଶ ପାଇଥିଲ। ଆନ୍ଧ୍ରର ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ବାଙ୍ଗାଲୋର୍-ତିରୁପତି ଜାତୀୟ ରାଜପଥର ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର୍ ଢୁଳାଇ ପଡ଼ିବାରୁ ଆମ୍ବୁଲାନ୍ସ୍ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍-ଟ୍ରକ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସମସ୍ତ ମୃତକ ଓଡ଼ିଶାର ହୋଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋବିନ୍ଦପୁର ଗ୍ରାମର ବାସୀନ୍ଦା ବାଙ୍ଗାଲୋର୍ ଭିକ୍ଟୋରିଆ ହସ୍ପିଟାଲ୍ରେ ଜଣେ ଆତ୍ମୀୟଙ୍କୁ ଚିକିତ୍ସା କରାଇ ସେମାନେ ଗାଁକୁ ଫେରୁଥିଲେ। ତେବେ ମୃତବ୍ୟକ୍ତିମାନେ ହେଉଛନ୍ତି ମଞ୍ଜୁଲତା, ତ୍ରିଲୋଚନ, ଉମେଶଚନ୍ଦ୍ର ଓ ବିଜୟ। ୟାଦାମାରି ଓ କାନିପକ୍କମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆହତଙ୍କୁ ଚିତ୍ତୂର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସେହିପରି, ଆଜି ଆନ୍ଧ୍ରପ୍ରଦେଶରେ ଆଉ ଏକ ସଡ଼କ ଦୁର୍ଘଟଣା ବି ଘଟିଛି। ଏହି ଦୁର୍ଘଟଣାରେ ତିରୁମାଳା ଦର୍ଶନ କରି କର୍ଣ୍ଣାଟକର ବେଲଗାବି ଫେରୁଥିବା ଲୋକମାନେ ମୃତ୍ୟୁ ବରଣ କରିଛନ୍ତି। ସେମାନେ ଯାତ୍ରା କରୁଥିବା ଗାଡ଼ିଟି ମାତାମପଲି ଛକରେ ଗୋଟାଏ ଲରି ସହିତ ମୁହାଁମୁହିଁ ଧକ୍କା ଖାଇଥିଲା। ଦୁର୍ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୯ଜଣ ଆହତ ହୋଇଛନ୍ତି।