ଓଡ଼ିଶା 365 (ବ୍ୟୁରୋ): ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଭାରତର ୮୪ଜଣ କଳାକାର। ତେବେ ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାରୁ ୪ଜଣ କଳାକାର। ‘ସଙ୍ଗୀତ ନାଟକ ଅକାଦେମୀ’ର ପ୍ରେସ୍ ରିଲିଜ୍ରୁ ଏହା ଜଣାପଡ଼ିଛି। ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ବର ଦାସ, ‘ଥିଏଟର୍’ରେ ସାମଗ୍ରିକ ଅବଦାନ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ବ୍ରହ୍ମବୀଣା ପାଇଁ ଆନନ୍ଦ ବାଗ ଓ ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି ସହ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।
ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ତଥା ସାଂସ୍କୃତିକ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସେପ୍ଟେମ୍ବର ୧୬ ତାରିଖ ଦିନ ନୂଆଦିଲ୍ଲୀର ‘ବିଜ୍ଞାନ ଭବନ’ରେ ହେବାକୁ ଥିବା ବିଶେଷ ଉତ୍ସବରେ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଜୀବନବ୍ୟାପୀ ‘ପର୍ଫର୍ମିଙ୍ଗ୍ ଆର୍ଟ’ ପ୍ରଦର୍ଶନ କରି ଏଯାବତ୍ କୌଣସି ଜାତୀୟ ସମ୍ମାନ ପାଇ ନ ଥିବା ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ କଳାକାରମାନଙ୍କୁ ଏଥିରେ ସାମିଲ କରାଯାଇଛି।