ଓଡ଼ିଶା365(ବ୍ୟୁରୋ): ଆଉ ମାତ୍ର ତିନି ଦିନ ପରେ ଧରାପୃଷ୍ଠରେ ବିରାଜମାନ ହେବେ ଅଗ୍ରପୂଜ୍ୟ ଶ୍ରୀ ଗଣେଷ ଗଜାନନ। ସେଥିପାଇଁ ଦେଶର କୋଣ ଅନୁକୋଣରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି। ଗଣେଶଙ୍କୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା କରାଯାଏ । ତେବେ ଗଣେଶଙ୍କୁ ବିଭିନ୍ନ ପ୍ରକାରର ଭୋଗ ଲାଗି ହେଉଥିବା ବେଳେ ତାଙ୍କର କିନ୍ତୁ ଅତିପ୍ରିୟ ହେଲା ମୋଦକ। ମୋଦକ ବିନା ଗଣେଶଙ୍କ ଆବାହାନ ଅସଂପୂର୍ଣ୍ଣ ବୋଲି ବିବେଚନା କରାଯାଏ। କେତେ କ’ଣ ଭୋଗରାଗ ଲାଗିଲେ ବି ମୋଦକ ଭୋଗ ହିଁ ଗଣପତିଙ୍କ ମନକୁ ପ୍ରସନ୍ନ କରିପାରେ। ତେଣୁ କରି ଗଣେଶଙ୍କୁ ‘ମୋଦକପ୍ରିୟ’ ବୋଲି ମଧ୍ୟ କୁହାଯାଇଥାଏ। ତେବେ ବିଘ୍ନହର୍ତ୍ତା ଶ୍ରୀ ଗଣେଷଙ୍କ ମୋଦକ କାହିଁକି ଅତି ପ୍ରିୟ ଆସନ୍ତୁ ଜଣିବା ।
ପୌରାଣିକ ତଥ୍ୟ ଅନୁଯାୟୀ, ଋଷୀ ଅତ୍ରିଙ୍କ ପତ୍ନୀ ସତୀ ଅନୁସୟା ଭଗବାନ ଶିବ, ମାତା ପାର୍ବତୀ ଓ ଗଣେଶଙ୍କ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ଦେଇଥିଲେ। କିନ୍ତୁ ଏତେ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପରେ ମଧ୍ୟ ଗଣେଶଙ୍କ ପେଟ ପୂରିନଥିଲା। ଯେତେ ଖାଦ୍ୟ ପରଶା ଯାଉଥିଲା ସମସ୍ତ ଖାଦ୍ୟକୁ ଗଣେଶ ଏକା ହିଁ ଖାଇଦେଉଥିଲେ । ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଯାଇଥିଲା । ଯାହା ଖାଇବା ପରେ ଗଣେଶଙ୍କ ପେଟ ପୂରିଥିଲା। ସେହି ମୋଦକ ଖାଇ ସନ୍ତୁଷ୍ଟ ହୋଇଯାଇଥିଲେ ଗଜାନନ। ଏହା ଦେଖି ମାତା ପାର୍ବତୀ ସତୀ ଅନସୂୟାଙ୍କ ଠାରୁ ସେହି ମୋଦକ ତିଆରି କରିବାର କଳା ଶିଖିଥିଲେ।
ସେହିପରି ପଦ୍ମପୁରାଣରେ ଗଣେଶଙ୍କ ମୋଦକ ପ୍ରିୟ ହେବା ପଛରେ ଅନ୍ୟ ଏକ କାହାଣୀ ରହିଛି। ଦିନେ ସମସ୍ତ ଦେବୀ ଦେବତା ମିଶି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଭେଟିବାକୁ କୈଳାଶ ପର୍ବତ ଯାଇଥିଲେ। ସେମାନେ ଏକ ଅଲୌକିକ ମିଠା ମୋଦକ ଭେଟ ସ୍ଵରୂପ ସାଥୀରେ ନେଇଥିଲେ। ଏହାକୁ ଖାଇବା ବ୍ୟକ୍ତି ଶାସ୍ତ୍ର, କଳା, ବିଜ୍ଞାନ, ଲେଖନୀରେ ପାରଙ୍ଗମ ଓ ବୁଦ୍ଧିମାନ ହୋଇପାରିବ ବୋଲି କହିଥିଲେ। ଏହା ଶୁଣି ମାତା ପାର୍ବତୀ ଏହାକୁ ଦୁଇ ପୁଅ କାର୍ତ୍ତିକ ଓ ଗଣେଷଙ୍କ ଭିତରେ ସମାନ ଭାଗ ବାଣ୍ଟି ଦେବେ ବୋଲି ଭାବିଲେ। କିନ୍ତୁ ଦୁଇ ଭାଇ ଏହାକୁ ଭାଗ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ତେଣୁ ପାର୍ବତୀ ଏକ ଉପାୟ ଖୋଜି ବାହାର କଲେ। ଯିଏ ଯେତେ ଅଳ୍ପ ସମୟ ମଧ୍ୟରେ ପୃଥିବୀ ପରିକ୍ରମା କରି ଆସିବ ସେ ଶ୍ରେଷ୍ଠ ହେବା ସହ ତାକୁ ହିଁ ପୁରସ୍କାର ସ୍ଵରୂପ ଏହି ମୋଦକ ମିଳିବ ବୋଲି କହିଲେ । ଏହା ଶୁଣି କାର୍ତ୍ତିକ ନିଜ ବାହାନରେ ବସି ତୁରନ୍ତ ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ। କିନ୍ତୁ ଗଣେଶ ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ସେ ଶିବ-ପାର୍ବତୀଙ୍କ ଚାରିପାଖେ ପରିକ୍ରମା କରିଥିଲେ। ପୃଥିବୀର କୌଣସି ସ୍ଥାନ ପିତା-ମାତାଙ୍କ ସହିତ ସମାନ ହୋଇପାରିବ ନାହିଁ। ଏହା ଶୁଣି ପାର୍ବତୀ ଖୁସି ହୋଇ ଗଣେଶଙ୍କୁ ମୋଦକ ପୁରସ୍କାର ସ୍ଵରୂପ ଦେଇଥିଲେ। ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ଗୋଆରେ ଗଣେଷ ପୂଜା ଖୁବ୍ ଧୁମ୍ଧାମ୍ ରେ ପାଳନ କରାଯାଏ। ବିଭିନ୍ନ ଜାଗାରେ ମୋଦକର ଅଲଗା ଅଲଗା ନାମ ରହିଛି। ଯେପରିକି ତାମିଲ ଭାଷାରେ ‘କୋଜାକାଟାଇ’, କନ୍ନଡରେ ‘ମୋଦକ ବା କଡୁବୁ’ ଏବଂ ତେଲୁଗୁ ଭାଷାରେ ଏହାକୁ ‘କୁଡୁମୁ’ ବୋଲି କୁହାଯାଏ। ତେବେ ଗଜାନନଙ୍କୁ ଲୋକମାନେ ବିଘ୍ନବିନାଶକ ଭାବରେ ଡାକିବା ସହ ଧ୍ୟାନର ସହ ପୂଜା କରିଥାନ୍ତି ।