ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଓଡ଼ିଆ ସିନେମାର କ୍ରେଜ୍ କମିବାକୁ ଲାଗିଛି । ପୂର୍ବପରି ଏବେ ଆଉ ଓଡ଼ିଆ ସିନେମା ଦେଖିବାକୁ ମିଳୁନି । ପୂର୍ବରୁ ଏମିତି ଓଡ଼ିଆ ସିନେମା ପ୍ରସ୍ତତି ହେଉଥିଲା ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଲମ୍ବା ଲାଇନ ଲାଗୁଥିଲା । ଗୋଟିଏ ପରିବାର ଏକାଠି ବସି ସିନେମା ଦେଖିପାରୁଥିଲେ । ଛୋଟ ଠାରୁ ବୟସ୍କ ସମସ୍ତଙ୍କର ଓଡ଼ିଆ ସିନେମା ପ୍ରତି ଦୁର୍ବଳତା ରହିଥିଲା । ହେଲେ ତାହା ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।
ବର୍ତ୍ତମାନ ଜୀ-ସାର୍ଥକ ନୂଆ ନୂଆ ସିନେମା କରି ପୁଣି ଥରେ ଓଡ଼ିଆ ସିନେମାକୁ ଜୀବିତ କରିବା ପାଇଁ ପ୍ରୟାସ ଚଳାଇଛି । ଏବେ ଆସୁଛି ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଓଡ଼ିଆ ଫିଲ୍ମ ‘କୁଳାଙ୍ଗାର-୨’ । ଆସନ୍ତା ୧୭ ରବିବାର ସଂଧ୍ୟା ୬ଟା ୩୦ରେ ଏହି ଫିଲ୍ମ ରିଲିଜ୍ ହେବ । ଏହା ପୂର୍ବରୁ ଫିଲ୍ମର ଅଡିଓ ରିଲିଜ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସିନେମାରେ ନାୟକ ଶାଶ୍ୱତ ଓ ନାୟିକା ନିଲାଖୀ ପାତ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାସହ ଅଭିନେତା କୁନା ତ୍ରିପାଠୀ ଓ ମଧୁମିତା ମହାନ୍ତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ସିନେମାର କାହାଣୀ ମ୍ୟାନେଜମେଣ୍ଟ ଗୋଲ୍ଡ ମେଡାଲିଷ୍ଟ ବିକାଶକୁ ନେଇ ତିଆରି ହୋଇଛି । ବିକାଶ ପାଠ ପଢି ସାରିବା ପରେ ମୋବାଇଲ୍ ଆପ୍ କରିବାକୁ ଚାହୁଁଛି । ହେଲେ ବିକାଶର ବାପା ଜଣେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ । ପୁଅ ଏକ ସୁରକ୍ଷିତ ଚାକିରି କରୁ ବୋଲି ସେ ଚାହୁଁଛନ୍ତି । ହେଲେ ବିକାଶ ଷ୍ଟାର୍ଟ ଅପ୍ ପାଇଁ ମା’ଙ୍କୁ ଟଙ୍କା ଦେବା ପାଇଁ ବାଧ୍ୟ କରିଛି । ଶେଷରେ ଟଙ୍କା ନେଇ ଏକ ଚିଟଫଣ୍ଡ କମ୍ପାନୀରେ ବିନିଯୋଗ କରି ସବୁକିଛି ହରାଇ ବସିଛି । ଏମିତିକି ଜଣେ ଝିଅକୁ କିଡନାପ କରି ଘରର ବିରୋଧ ସତ୍ୱେ ବିବାହ କରିଛି । ଯାହାକୁ ନେଇ ଚିନ୍ତାରେ ରହୁଛନ୍ତି ପରିବାର ଲୋକେ । ଏପରି ଏକ କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ‘କୁଳାଙ୍ଗାର-୨’ । ଯାହା ଦର୍ଶକ ମାନଙ୍କ ମନକୁ ଚୁଇଁବା ବୋଲି ଆଶା ରଖିଛନ୍ତି ନିର୍ମାତା ।