ଓଡ଼ିଶା365(ବ୍ୟୁରୋ): ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି । ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ଏନେଇ ସବୁ ବିଇଓ ଏବଂ ଡିଇଓଙ୍କୁ ଚିଠି ଲେଖିଛନ୍ତି ସରକାର । ଏଥିରେ କୁହାଯାଇଛି ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇ ନାହାନ୍ତି । ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ । ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ସହ ସରକାର ଶିକ୍ଷକମାନଙ୍କୁ ବୁଝେଇବାକୁ ଯାଇ କହିଛନ୍ତି, ଏକ ସବକମିଟି ଗଠନ କରାଯାଇଛି । କମିଟି ଶିକ୍ଷକଙ୍କ ତିନିଟି ଦାବି ଉପରେ ତର୍ଜମା କରିବ । କମିଟି ରିପୋର୍ଟ ଦେବା ପରେ ଶିକ୍ଷକଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରାୟ ୫୦ ହଜାର ସ୍କୁଲରେ ତାଲା ପଡ଼ିଛି । ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି ।
ସଂଘର ୩ ଦଫା ଦାବିଗୁଡିକ ମଧ୍ୟରୁ ପ୍ରଥମଟି ହେଲା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ କରିବା, ଶିକ୍ଷକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ୟ୍ୟକାଳକୁ ହଟାଇ ମୂଳ ଚାକିରିରେ ଗଣନା କରିବା ଏବଂ ଏକ୍ସ କ୍ୟାଡେର ଶିକ୍ଷକ ଓ ବହୁଭାଷୀ ଶିକ୍ଷକ, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରେ ମାନ୍ୟତା ପ୍ରଦାନ କରିବା । ଦ୍ୱତୀୟ ଦାବିଟି ହେଲା ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ଼ ପେ ଅନୁଯାୟୀ ୪୨୦୦ ପ୍ରଦାନ କରିବା ଓ ତୃତୀୟ ଦାବି ହେଲା ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁଣିଥରେ ପ୍ରଚଳନ କରାଯିବା ଦାବିରେ ଶିକ୍ଷକମାନେ ଏହି ଗଣଧାରଣାରେ ଦୀର୍ଘ ୪ ଦିନ ଧରି ବସିଛନ୍ତି । ଶିକ୍ଷକମାନଙ୍କ ଦାବିକୁ ସମାଧାନ କରିବା ପରବର୍ତ୍ତେ ସରକାରଙ୍କ ଏହି ନାଲି ଆଖିକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।