ଓଡ଼ିଶା 365 (ବ୍ୟୁରୋ): ଜମ୍ମୁ-କାଶ୍ମୀରରେ ଆତଙ୍କ ବାଦୀଙ୍କୁ ନିପାତ କରୁଛି ସେନା। ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କମିଛି । ପଥର ଫିଙ୍ଗାଳିମାନେ ଅଦୃଶ୍ୟ ହୋଇଛନ୍ତି। ଘାଟିରେ ଏକ ପ୍ରକାର ଶାନ୍ତି ଫେରିଛି, ଜମ୍ମୁ-କାଶ୍ମୀର ବିକାଶ ଆଡକୁ ଅଗ୍ରଗତି କରୁଛି। ତେବେ ଏସବୁ ସହି ପାରୁନି ପାକିସ୍ତାନ। ଜମ୍ମୁ-କାଶ୍ମୀରକୁ ଆତଙ୍କ ବାଦୀଙ୍କୁ ପଠାଇ ବାରମ୍ବାର ସାଧାରଣ ଲୋକ ଏବଂ ସେନା ଉପରେ ଆକ୍ରମଣ କରୁଛି। ଲୁଚି ଛପି ଆତଙ୍କବାଦୀ ମାନେ ସେନା ଉପରକୁ ଆକ୍ରମଣ କରୁଥିବାରୁ ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ସେନା ଓ ପୁଲିସର ମିଳିତ ସହଯୋଗରେ ହୋଇଥିବା ସର୍ଚ୍ଚ ଅପରେସନରେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ ।
ଏହି ବଡ ଧରଣର ଏନକାଉଣ୍ଟରରେ ୩ ଯବାନ ସହିଦ ହୋଇଥିବାବେଳେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେନା ଅଧିକାରୀଙ୍କ ମଧ୍ୟରେ କର୍ଣ୍ଣେଲ ମନପ୍ରୀତ ସିଂ ଓ ବଟାଲିୟନ୍ କମାଣ୍ଡର ମେଜର ଆଶିଷ ଧୌନିକ ଓ ଡିଏସପି ହୁମାୟୁନ୍ ଭଟ୍ଟ ସହିଦ ହୋଇଥିଲେ । ସର୍ଚ୍ଚ ଅପରେସନ୍ ବେଳେ ସେନାର କେଣ୍ଟ ନାମକ ଏକ କୁକୁର ମଧ୍ୟ ପ୍ରାଣ ହରାଇଛି । ସାରା ଦେଶ ବୀରଙ୍କୁ ଜଣାଇଛି ଶ୍ରଦ୍ଧାଞ୍ଜଳି । ଏହାର ପରିଣାମ ଆତଙ୍କବାଦୀଙ୍କୁ ଭୋଗିବାକୁ ପଡିବ କହି କଡା ଚେତାବନୀ ଦେଇଛି ସେନା । ସେପଟେ ଆତଙ୍କବାଦୀଙ୍କ ବିରୋଧ କରିବା ସହ ସେନା ସପକ୍ଷରେ ବାହାରି ଶୋଭାଯାତ୍ରା କରିଛନ୍ତି ଜମ୍ମୁ କାଶ୍ମୀରବାସୀ । ଅନନ୍ତନାଗରେ ସେନାର ଅପରେସନକୁ ଜୋରଦାର କରାଯାଇଛି ।