ଓଡ଼ିଶା 365 (ବ୍ୟୁରୋ) : ଦିନକୁ ଦିନ ଅପରାଧ ଜଗତରେ ପାଦ ଥାପୁଛନ୍ତି ନାବାଳକ । ଖାଲି ନିଶା ସେବନ ନୁହେଁ ବରଂ ଭୟଙ୍କର ଅପରାଧ ମଧ୍ୟ କରିବସୁଛନ୍ତି ନାବାଳକ ମାନେ । ଆଉ ଖାସ କରି ଏହା ରାଜଧାନୀରେ ବେଶି ଦେଖିବାକୁ ମିଳୁଛି । ରାଜଧାନୀରେ ବଢୁଛି ବାଳ ଅପରାଧୀଙ୍କ ସଂଖ୍ୟା । ଚୋରି ଛିନତାଇଠାରୁ ଆରମ୍ଭ କରି ହତ୍ୟା ପରି ମାମଲାରେ ଜଡିତ ରହୁଛନ୍ତି ନାବାଳକ । ଯେଉଁ ବୟସରେ ପାଠ ପଢି ଉଜ୍ଜଳ ଭବିଷ୍ୟତ ପାଇଁ ଚିନ୍ତା କରିବା କଥା ସେହି ବୟସରେ ଅପରାଧ ଘଟାଉଛନ୍ତି । ବହି ବଦଳରେ ହାତରେ ଧରୁଛନ୍ତି ମାରଣାସ୍ତ୍ର । ଅପରାଧ ଦୁନିଆରେ ପାଦ ଦେଇ ଅପରାଧକୁ ପେଶା ଭାବେ ଗ୍ରହଣ କରୁଛନ୍ତି । ତେବେ କାହିଁକି ଏତେ କମ ବୟସରେ ଅପରାଧ ଘଟାଉଛନ୍ତି ଛୋଟଛୋଟ ପିଲା ତାହା ଏବେ ଚିନ୍ତାଜନକ ବିଷୟ ହୋଇଛି। ନିକଟରେ ତମାଣ୍ଡୋ ଥାନା ଅଞ୍ଚଳରୁ ଜଣେ ନାବାଳକକୁ ଚୋରି ଅଭିଯୋଗରେ ଧରିଥିଲା ପୋଲିସ । ଏହାପରେ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ନାବାଳକ ଜଣକ ଜଣେ ଯୁକ୍ତ ଦୁଇ ଛାତ୍ର ହୋଇଥିବା ବେଳେ ମଦନପୁର କଲେଜର ପାଠ ପଢନ୍ତି।ଗତ ୧୦ ତାରିଖ ଦିନ ତମାଣ୍ଡୋ ବଜାରରେ ଥିବା ସାହୁ ଭେରାଇଟ ଷ୍ଟୋରରୁ ଚୋରି ହୋଇଥିଲା ।
ଦୋକାନର ଆଜବେଷ୍ଟସ ଫାଙ୍କରେ ପଶି ନାବାଳକ ଜଣଙ୍କ ଦୋକାନରୁ ତେଲ, ଅଟା ସାବୁନ ପରି ଗ୍ରୋସରୀ ଓ ୩ ହଜାର ନଗଦ ଟଙ୍କା ଧରି ଛୁ ମାରିଥିଲା । ଏନେଇ ଦୋକାନର ମାଲିକ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଭିଡିଓରେ କେହି ଜଣେ ବ୍ୟାଗରେ ଜିନିଷ ନେଇ ଯାଇଥିବା ପୋଲିସ ଦେଖିବା ପରେ ସେହି ଅଞ୍ଚଳର ଜଣେ ନାବାଳକ ଚୋରି କରିଥିବା ଜାଣିବାକୁ ପାଇଥିଲା । ପୋଲିସ ତାକୁ ହେପାଜତକୁ ନେଇ ଚୋରି ସାମଗ୍ରୀ ଜବତ କରିବା ସହ ବାଳ ସୁଧାର ଗୃହକୁ ପଠାଇଦେଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କଅଁଳ ବୟସରେ ଯେଉଁମାନେ ପାଠ ପଢି ନିଜ ଭବିଷ୍ୟ ଗଢ଼ିବା କଥା ସେମାନେ ଏପରି ଅପରାଧ ଦୁନିଆରେ କାହିଁକି ପାଦ ଥାପୁଛନ୍ତି । କେବଳ ଚୋରି ନୁହେଁ ଦାଦାବଟି ମାରପିଟ୍ ଡ୍ରଗ୍ସ କାରବାର ଭଳି ଅନେକ କ୍ଷେତ୍ରରେ ନାବାଳକ ଅପରାଧୀ ନଜର ଆସୁଛନ୍ତି। ଅନେକ ସମୟରେ ଫେରିବାଲା ବେଶରେ ଡକାୟତି କରୁଛନ୍ତି ।
ଚଳିତ ମାସରେ ଏଯାବତ ରାଜଧାନୀରୁ ୪ଜଣ ବାଳ ଅପରାଧ ଧରାପଡ଼ିଲେଣି । ଏହି ଘଟଣା ପୂର୍ବରୁ ଏୟାରପୋର୍ଟ ଥାନାର ଏକ ମାମଲାରେ ୩ଜଣ ନାବାଳକ ଧରାପଡିଥିଲେ।ଓଡ଼ିଶା ପୋଲିସର ତଥ୍ୟ ଅନୁସାରେ, ସାରା ରାଜ୍ୟରେ ୨୦୨୧ରେ ୧୩୩୪ଟି ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୯ଜଣ ବାଳ ଅପରାଧୀଙ୍କ ନାମରେ ହତ୍ୟା ମାମଲା ରହିଥିବା ବେଳେ, ୨୦ଟି ହତ୍ୟା ଉଦ୍ୟମ, ୧୪ଟି ଅସଦାଚରଣ, ୯ଟି ଅପହରଣ ସହ ୩୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେହିପରି ୨୦୨୦ରେ ୧୦୯୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ଟି ହତ୍ୟା ମାମଲା, ୧୬ଟି ଦୁଷ୍କର୍ମ, ୩୪ଟି ଅସଦାଚରଣଣ ସହ ୬୧ଟି ଅପହରଣ ମାମଲା ରହିଛି । ସାରା ଦେଶରେ ୨୦୧୩ରେ ୩୧ହଜାର ୭୨୫ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ବାଳ ଅପରାଧୀଙ୍କ ନାମରେ ୯୯୦ଟି ହତ୍ୟା ଓ ୧୧୨୫ଟି ଦୁଷ୍କର୍ମ ମାମଲା ରହିଛି ।
ଏନେଇ ଶିଶୁ ବିଶେଷଜ୍ଞ ବେଣୁଧର ସେନାପତି କହିଛନ୍ତି ଯେ, ବାପାମାଆ ନିଜ ପିଲାଙ୍କୁ ସମୟ ଦେଉ ନାହାନ୍ତି । ଯେଉଁଥି ପାଇଁ ସେମାନେ ଖରାପ ବାଟକୁ ଚାଲି ଯାଉଛନ୍ତି । ଏନେଇ ଏକ ଢାଞ୍ଚାରେ ବ୍ୟବସ୍ଥା ନିତାନ୍ତ ଆବଶ୍ୟକ । ପିଲା ରହୁଥିବା ଘରର ଆଖ ପାଖରେ ଅଙ୍ଗନବାଡ଼ି କର୍ମୀ, ସ୍କୁଲର ଶିକ୍ଷକ ନଜର ରଖିବା କଥା । ସେହିପରି ସହରରେ ମଧ୍ୟ ପୋଲିସ ଓ ଓ୍ବାର୍ଡ୍ ସ୍ତରରେ ପିଲାଙ୍କ ଗତିବିଧି ଉପରେ ନଜର ରଖି ଅବାଟକୁ ଯାଉଥିବା ପିଲାଙ୍କୁ ବାଟକୁ ଆଣିବା ଜୁରୁରୀ । ଶିଶୁ ବିକାଶ ଦିଗରେ କାମ କରୁଥିବା ବ୍ୟକ୍ତି ଏ ଦିଗରେ ମିଳିମିଶି କାମ କଲେ କାଉନସେଲିଂ ଦ୍ବାରା ବାଳ ଅପରାଧିଙ୍କୁ ସୁଧରା ଯାଇପାରିବ ।