ଓଡ଼ିଶା365(ବ୍ୟୁରୋ): ଦକ୍ଷିଣ କୋରିଆ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ହଂକଂରେ ଜଣେ ଭାରତୀୟ ଯୁବକ ଜେଲ ଯାଇଛନ୍ତି। ଏହି ଅସଦାଚରଣ ବେଳର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁୟାୟୀ, ଦକ୍ଷିଣ କୋରିଆ ପର୍ଯ୍ୟଟକ ଜଣଙ୍କ ହଂକଂରେ ନିଜର ଭିଡିଓ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଯାହା ଲାଇଭ୍ କ୍ୟାମେରାରେ କଏଦ ହୋଇଥିଲା। ଦକ୍ଷିଣ କୋରିଆ ଯୁବତୀ ଜଣଙ୍କ ହଂ କଂର ସେଣ୍ଟ୍ରାଲ ଏରିଆରେ ଥିବା ଏକ ଟ୍ରାମ୍ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ଜଣେ ଭାରତୀୟ ବଂଶୋଦ୍ଭବ ତାଙ୍କ ପାଖକୁ ଆସି ସାହାଯ୍ୟ ମାଗିଥିଲେ।
ପରେ ଏହି ଯୁବକ ଜଣକ ବିଦେଶୀ ଯୁବତୀଙ୍କ ନିକଟତର ହୋଇ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ କହିଥିଲେ, ‘ମୁଁ ଏକୁଟିଆ ଅଛି, ମୋ ସହ ଆସ। ତା’ପରେ ଭାରତୀୟ ଯୁବକ ଜଣକ ବିଦେଶୀ ଯୁବତୀଙ୍କ ହାତକୁ ଧରି ମୁଁ ଏକୁଟିଆ ଅଛି କହି, ଯୁବତୀଙ୍କୁ ଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ଦକ୍ଷିଣ କୋରିଆ ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ସେହି ସ୍ଥାନରୁ ଖସି ପଳାଇ ଯାଇଥିଲେ। ଅଭିଯୁକ୍ତ ଯୁବକ ଜଣକ ୱେଟର ଭାବେ ହଂକଂରେ କାମ କାମ କରୁଥିବା ଜଣାପଡ଼ିଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ୟୁଜର ଯୁବତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।