ଓଡ଼ିଶା 365 (ବ୍ୟୁରୋ) : ପ୍ରଥମେ ଡେଙ୍ଗୁ ପୁଣି ଏବେ ଡରାଉଛି ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବାବେଳେ କିଛି ସ୍ଥାନରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ବୁଧବାର ରାଜ୍ୟରେ ଆଉ ୩ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ସ୍କ୍ରବ ଟାଇଫସର ମାମଲା ପଶ୍ଚିମ ଓଡ଼ିଶାରେ ଅଧିକ ଦେଖିବାକୁ ମିଳିଛି। ଗତ ୩ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୨ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜରେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା ୨୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।
ସେହିପରି ଭୁବନେଶ୍ୱରରେ ମଧ୍ୟ ସ୍କ୍ରବ ଟାଇଫସର ୪ଟି ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଏହି ରୋଗରେ ପୀଡ଼ିତ ହୋଇ ବରଗଡ଼ରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
ସ୍କ୍ରବ ଟାଇଫସ ଟ୍ରମ୍ବୀ କୁଲାଇଟ କୀଟ କାମୁଡ଼ିବ ଦ୍ୱାରା ହୋଇଥାଏ ।
ଓଡ଼ଶ ଭଳି ଦେଖିବାକୁ ଏହି ପୋକ ବୁଦାଳିଆ ଅଞ୍ଚଳ ତଥା ଘର ମାନଙ୍କରେ ଖଟ ଓ ବେଡସିଟରେ ଦେଖାଯାନ୍ତି। ସ୍କ୍ରବ ଟାଇଫସରେ ଜଣେ ଲୋକଙ୍କୁ ଜ୍ୱର ଲାଗିରହିବା ସହ ଦେହହାତ ବ୍ୟଥା ଏବଂ ମୁଣ୍ଡ ବିନ୍ଧା ଆଦି ଲାଗିରହେ।
ସ୍କ୍ରବ ଟାଇଫସ ହେଲେ ୧୦ ଦିନ ପରେ ଇନଫେକ୍ସନ ଜଣାପଡ଼ିଥାଏ। ତୁରନ୍ତ ଚିକିତ୍ସା କରିବା ଦ୍ୱାରା ଏହା ଭଲ ହୋଇଯାଏ। ନଚେତ ରକ୍ତହୀନତା ଭଳି ସମସ୍ୟାରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଯାଇପାରେ।
ଏହା ରୋଗ କେବଳ ପୋକ କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାର ସେଭଳି ନିର୍ଦ୍ଦିଷ୍ଟ ସମ୍ଭାବନା ନଥିବା ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ସ୍କ୍ରବ ଟାଇଫସରୁ ରକ୍ଷାପାଇବା ପାଇଁ ଘର ଆଖପାଖ ସଫା ରଖିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଆଉ ମଧ୍ୟ ଯେଉଁସ୍ଥାନରେ କୀଟ କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ ଓ ସେହି ସ୍ଥାନରେ ସ୍କିନ ଡେଡ ହୋଇଯାଏ । ସେହି ସ୍ଥାନକୁ ଏଚାର ବୋଲି କୁହାଯାଏ । ସେହିପରି ସ୍କ୍ରବ ଟାଇଫସ ରୋଗର ଚିକିତ୍ସା ପଦ୍ଧତି ମଧ୍ୟ ଅତି ସହଜ ।
ରୋଗ ଚିହ୍ନଟ ହେଲେ ଚିକିତ୍ସା ଅତି ସହଜରେ ହୋଇଥାଏ । ଏହାର ପରୀକ୍ଷା ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଏଲିସା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଆଉ ଏଥିରେ ସାଧାରଣ ଆଣ୍ଟି ବାୟୋଟିକ କାମ ଦେଇଥାଏ । ତେଣୁ ଏହି ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ହେଲେ ଏହାର ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ । ତେବେ ପୂର୍ବରୁ ଓଡ଼ିଶା ରେ ସ୍କବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେଳେ ବିଗତ କିଛି ବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଙ୍ଗନୱାଡି କର୍ମୀ, ଏ ଏନ ଏମ, ସ୍ବାସ୍ଥ୍ୟ କର୍ମୀଙ୍କୁ ଏନେଇ ତାଲିମ୍ ଦିଆଯାଉଛି । ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. କାଳୀ କୃଷ୍ଣ ବେହେରା ପ୍ରକାଶ କରିଛନ୍ତି।