ଓଡ଼ିଶା 365 (ବ୍ୟୁରୋ): ଗତକାଲି ବଙ୍ଗୋପସାଗରର ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଛି । ଏହ ସହ ଲଘୁଚାପ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷାହେବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।
ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ବୁଧବାର ଅପରାହ୍ଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଗତ ରାତିରୁ ତୁହାକୁ ତୁହା ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ବର୍ଷା ଚାଲିଛି। ସେହିପରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୧୪ ସେପ୍ଟେମ୍ବର, ଗୁରୁବାର ଅପରାହ୍ନ ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର (୨୦ ସେମିରୁ ଅଧିକ), ୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ଓ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମିରୁ ଅଧିକ) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ନୟାଗଡ଼, କଟକ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଓ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ଗଜପତି, ରାୟଗଡ଼ା, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୨ ସେମି) ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।