ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ । ସାଉଥ୍ ସୁନ୍ଦରୀ ସାମନ୍ଥା ପ୍ରଭୁଙ୍କ ବିବାହ ବିଚ୍ଛେଦ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ନାଗା ଚୈତନ୍ୟ । ବର୍ତ୍ତମାନ ସେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଖବର ମୁତାବକ , ପୁଣିଥରେ ବର ସାଜିବେ ନାଗା ଚୈତନ୍ୟ, ପଡ଼ିବ ହାତଗଣ୍ଠି ବାଜିବ ସାହାନାଇ । ପୂର୍ବରୁ ୨୦୧୭ ରେ ନାଗା ଚୈତନ୍ୟ-ସାମନ୍ଥା ପ୍ରଭୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାତ୍ର ୪ ବର୍ଷ ମଧ୍ୟରେ ହିଁ ସେମାନଙ୍କର ବିବାହ ବନ୍ଧନ ଶେଷ ହୋଇଯାଇଥିଲା ।
ଦୁହେଁ ନିଜର ଇନ୍ଷ୍ଟାଗ୍ରାମ ପେଜରେ ଲେଖିଥିଲେ ଯେ , ଅନେକ ଚିନ୍ତା କରିବା ପରେ ସ୍ୱାମୀ-ସ୍ତ୍ରୀ ରୂପେ ସମ୍ପର୍କ ଶେଷ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ପରସ୍ପର ଅଲଗା ହେବା ପରେ ମଧ୍ୟ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ’। ଏଭଳି ଅସୁବିଧା ସମୟରେ ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ତଥା ପ୍ରାଇଭେସି ଦେବା ଲାଗି ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରି ଅକ୍ଟୋବର ୨, ୨୦୨୧ରେ ପାରସ୍ପରିକ ସମ୍ମତି ନେଇ ଉଭୟ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଯାହା ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଥିଲା ।
ସୂଚନା ଅନୁଯାୟୀ, ନାଗାର୍ଜୁନ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ପାଇଁ ଦ୍ୱିତୀୟ ବିବାହ ଯୋଜନା କରୁଛନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ଏପର୍ୟ୍ୟନ୍ତ ଝିଅର ପରିଚୟ ପ୍ରକାଶ କରାଯାଇ ନାହିଁ, କିନ୍ତୁ କୁହାଯାଉଛି ଝିଅଟି ଜଣେ ବ୍ୟବସାୟୀଙ୍କ ପରିବାରର ଏବଂ ଗ୍ଲାମର ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ। ତେବେ ଏହି ଖବର ସମ୍ପର୍କରେ ଅଭିନେତା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।