ଓଡ଼ିଶା 365 (ବ୍ୟୁରୋ): ରାଜଧାନୀରେ ଏବେ ଡେଙ୍ଗୁର କରାଳ ରୂପ ଦେଖିବାକୁ ମିଳିଛି। ୯ ଦିନରେ ଚିହ୍ନଟ ହେଲେଣି ହଜାରେ ରୋଗୀ ଦୈନିକ ଚିହ୍ନଟ ହେଉଛନ୍ତି ହାରାହାରି ୧୨୦ ରୋଗୀ। କହିବାକୁ ଗଲେ ଏକପ୍ରକାର ଭୁବନେଶ୍ୱର ସାରା ଡେଙ୍ଗୁ ମାଡ଼ିଗଲାଣି । ସରକାରୀ ହିସାବରେ ଆଜି ସୁଦ୍ଧା ୩,୫୪୮ ଆକ୍ରାନ୍ତ ହେଲେଣି । ଖୁବ୍ଶୀଘ୍ର ଏହି ସଂଖ୍ୟା ୪ହଜାର ଡେଇଁବା ଅସମ୍ଭବ ନୁହେଁ । ଏଥି ପାଇଁ ଭୁବନେଶ୍ୱରର ୪୦ ଅଞ୍ଚଳ ରେଡ୍ ଜୋନ୍ ପାଲଟିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ ମୁତାବକ ସେପ୍ଟେମ୍ବର ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶିଖର ଛୁଇଁବ । ହେଲେ ଏଯାଏ ସ୍ୱାସ୍ଥ୍ୟ ବିଭାଗ, ବିଏମ୍ସିର କିନ୍ତୁ ଚିନ୍ତା ପଶିଲାନି । ଗତ ୮ ତାରିଖରେ କ୍ୟାପିଟାଲ ହସ୍ପିଟାଲ, ପଟିଆ ଓ ନୂଆପଲ୍ଲୀ ୟୁପିଏଚ୍ସିରୁ ୬୭୬ ଜଣଙ୍କ ରକ୍ତ ନମୂନା ଦେଇଥିଲେ । ସେଥିମଧ୍ୟରୁ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ହିସାବରେ ଟେଷ୍ଟ ପଜିଟିଭ ହାର ୨୧ ପ୍ରତିଶତ ରହିଛି । ଅଗଷ୍ଟ ମାସ ତୁଳନାରେ ଏହା ଯଥେଷ୍ଟ ଅଧିକ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଶା ବଂଶ ବୃଦ୍ଧି ପାଉଛି । ସାନ୍ଦ୍ରତା, ବର୍ଷା ଓ ଗରମ ଅସ୍ଥିର ରହୁଛି । ସେପଟେ ବର୍ତ୍ତମାନ ମଶା ବ୍ରିଡିଙ୍ଗ୍ ସମୟରେ ଜଳବାୟୁ ଅନୁକୂଳ ରହିଛି । ଲୋକେ ବି ସଚେତନ ରହୁନାହାନ୍ତି । ଏଣେତେଣେ ଭଙ୍ଗା ପାତ୍ର ପକାଉଛନ୍ତି । ତେଣୁ ମଶା ବଂଶ ବୃଦ୍ଧି ବା ଅଣ୍ଡା ଦେବାକୁ ଠିକ୍ ଜାଗା ମିଳୁଛି । ସେପ୍ଟେମ୍ବର ମାସରେ ସଂଖ୍ୟା ହୁ ହୁ ହୋଇ ବଢିବ । ଏହାପରେ କମିବ । ରାଜଧାନୀର ଚାରି ଆଡ଼େ ଡେଙ୍ଗୁ ମାଡିଗଲାଣି । ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୪୦ ସ୍ଥାନ ରେଡ୍ ଜୋନ । ସେପ୍ଟେମ୍ବର ମାସ ୫ ତାରିଖରେ ୧୩୨, ୬ ତାରିଖରେ ୧୫୭ ରୋଗୀ ଚିହ୍ନଟ ହୋଇଥିଲେ । ୭ ତାରିଖରେ ରେର୍କଡ ଭାଙ୍ଗିଲା । ସର୍ବାଧିକ ୨୩୭ ରୋଗୀ ଚିହ୍ନଟ ହୋଇଛନ୍ତି।