ଓଡ଼ିଶା 365 (ବ୍ୟୁରୋ): ଆଇ.ଏନ.ଡି.ଆଇ.ଏ ଅର୍ଥାତ ବିରୋଧି ମହାମେଣ୍ଟ ଇଣ୍ଡିଆ ଗଠନ ହୋଇଛି ସନାତନ ବିରୋଧିଙ୍କୁ ଏକାଠି କରିବା ସହ ଭୋଟ ବିଭାଜନ କରିବାକୁ। ସନାତନ ଧର୍ମକୁ ଶେଷ କରିବାକୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଗଠନ ହୋଇଥିବା କହିଛି ବିଜେପି। ସନାତନ ଧର୍ମକୁ ବିଲୋପ କରିବାକୁ ମହାମେଣ୍ଟର କିଛି ନେତା ଚାହୁଁଥିବା ଚର୍ଚ୍ଚା ଜୋର ଧରିଛି। ଜାତୀୟ ଦଳ କଂଗ୍ରେସ ହିନ୍ଦୁତ୍ବକୁ ବିରୋଧ କରୁଥିବା ଅନେକ ସମୟରେ ଦେଖିବାକୁ ମିଳେ,ମାତ୍ର ଇଲେକ୍ସନ ଆସିଲେ କଂଗ୍ରେସର ଲୋକ ଦେଖାଣିଆ ହିନ୍ଦୁ ପ୍ରେମ ଆସେ ସାମ୍ନାକୁ । ସନାତନ ଧର୍ମକୁ ବିରୋଧ ଇଣ୍ଡିଆ ମେଣ୍ଟର ଏଜେଣ୍ଡା ବୋଲି ବିଜେପି କହିବା ସହ ମହାମେଣ୍ଟକୁ ଘେରିଛି।
ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଟିପ୍ପଣୀକୁ ନେଇ ବିବାଦ ଘନେଇଥିବା ବେଳେ ବିଜେପି ଏହି ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛି। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ବିରୋଧୀ ମେଣ୍ଟ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି, ସେମାନଙ୍କ ଗୁପ୍ତ ଏଜେଣ୍ଡା ହେଉଛି ସେମାନେ ସନାତନ ଧର୍ମକୁ ବିରୋଧ କରି ଭୋଟ୍ ବ୍ୟାଙ୍କ୍ ରାଜନୀତି କରିବା, ମୁଁ କଂଗ୍ରେସ ଏବଂ ଏହାର ମେଣ୍ଟ ସହଯୋଗୀଙ୍କୁ ଏହା ପଚାରିବାକୁ ଚାହୁଛି ସେମାନଙ୍କର କୌଣସି ଧର୍ମକୁ ସମାଲୋଚନା କରିବାର ଅଧିକାର ଅଛି କି? ସନାତନ ଧର୍ମକୁ ନେଇ ଅତି କଟୁ ବୟାନ ଦେବା ପାଇଁ ସେମାନେ ସାହସ କଲେ କେମିତି ? ସେମାନେ ଅନ୍ୟ ଧର୍ମକୁ ନେଇ ନିରବ ଅଛନ୍ତି, କିନ୍ତୁ ସନାତନକୁ ଖୋଲାଖୋଲି ବିରୋଧ କରିବା ପଛର କାରଣ କ’ଣ ?
ଏପରି ପ୍ରଶ୍ନ କରିବା ସହ ପ୍ରସାଦ କହିଛନ୍ତି ଡିଏମ୍କେ ନେତାଙ୍କ ଟିପ୍ପଣୀ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ପାଟି ନଖୋଲିବା ଏହା ସ୍ପଷ୍ଟ କରୁଛି ସନାତନ ଧର୍ମକୁ ବିରୋଧ କରିବା ଇଣ୍ଡିଆ ମେଣ୍ଟର ଏକ ଏଜେଣ୍ଡା। ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ତୀବ୍ର ଆକ୍ରମଣ କରିଥିବାବେଳେ ଆପ୍ ନେତା ରାଘବ ଚଢ଼ା କହିଛନ୍ତି, ବଡ଼ ବଡ଼ ପ୍ରସଙ୍ଗ ଉଠାଇବାପାଇଁ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି। କୌଣସି ଦଳର ଛୋଟ ନେତାଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀକୁ ଇଣ୍ଡିଆ ମେଣ୍ଟର ଟିପ୍ପଣୀ ଭାବେ ଗ୍ରହଣ କରାଯାଇପାରିବନି। ମୁଁ ବି ସନାତନ ଧର୍ମର। ଏଭଳି ଟିପ୍ପଣୀକୁ ମୁଁ ନିନ୍ଦା କରୁଛି ଏବଂ ବିରୋଧ କରୁଛି। ଏଭଳି ଟିପ୍ପଣୀ ଦିଆଯିବା ଉଚିତ ନୁହେଁ। ଆମେ ସବୁ ଧର୍ମକୁ ସମ୍ମାନ ଦେବା ଉଚିତ ବୋଲି ଚଢ଼ା କହିଛନ୍ତି।କେବେ ବଦଳିବ ଧର୍ମକୁ ନେଇ ବିରୋଧିଙ୍କ ଭୋଟ ବ୍ୟାଙ୍କ ମାନସିକତା, କେବେ ବଦଳିବେ ନେତା,ନଥିବ ଧର୍ମକୁ ନେଇ ଭେଦଭାବ ।