ଓଡ଼ିଶା 365 (ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ‘କ୍ୟାପଟେନ୍ ଆମେରିକା’ ଅର୍ଥାତ୍ କ୍ରିସ୍ ଇଭାନ୍ସ । କ୍ରିସଙ୍କ ହଠାତ୍ ବିବାହ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରାଇଛି । ଖବର ମୁତାବକ କ୍ରିସ୍ ତାଙ୍କ ଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଛନ୍ତି । କ୍ରିସ୍ ଇଭାନ୍ସଙ୍କୁ ୪୨ ବର୍ଷ ହୋଇଥିବାବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଅଲବାଙ୍କୁ ୨୬ ବର୍ଷ ହୋଇଥିବା ଜଣାପଡ଼ିଛି । ପେଜ ସିକ୍ସ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ସେପ୍ଟେମ୍ବର ୨ ରେ ମେସାଚୁସେଟ୍ସର ବୋଷ୍ଟନ୍ ସ୍ଥିତ ଏକ ଘରୋଇ ବାସଭବନରେ ବିବାହ କରିଥିଲେ। ସେମାନଙ୍କର ବିବାହ ସମାରୋହ ବହୁତ ପ୍ରାଇଭେଟ୍ ଥିଲା । କ୍ରିସ୍ ଏବଂ ଅଲବାଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଅନେକ ମାର୍ଭେଲର ସୁପରହିଟ୍ ହିରୋ ମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସୂଚନାନୁସାରେ, ଏହି ଇଣ୍ଟିମେଟ ସେରେମନି ରେ ରୋବର୍ଟ ଡାଉନି ଜୁନିୟର, କ୍ରିସ୍ ହେମସୱର୍ଥ ଏବଂ ଜେରେମି ରେନର୍ ମଧ୍ୟ ଉପସ୍ଥିତ ଥିଲେ।
୨୦୨୨ ମସିହାରେ ପ୍ରଥମ ଥର ପାଇଁ ସେମାନଙ୍କର ଡେଟିଂ ଖବର ସାମ୍ନାକୁ ଆସିଥିଲା। ଏହି ଦମ୍ପତି ନ୍ୟୁୟର୍କରେ ଏକାଠି ବୁଲୁଥିବାର ନଜର ମଧ୍ୟ ଆସିଥିଲେ। ଚଳିତ ବର୍ଷ ଆରମ୍ଭରେ ଦୁହେଁ ନିଜ ସମ୍ପର୍କକୁ ନେଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଅଫିସିଆଲ୍ କରିଥିଲେ। ୨୬ ବର୍ଷୀୟ ଅଲବା ଜଣେ ପର୍ତ୍ତୁଗୀଜ୍ ଅଭିନେତ୍ରୀ, ଯିଏକି ୨୦୧୪ ରେ ସିରିଜ୍ ‘ଜାର୍ଡିନସ୍ ପ୍ରୋଇବିଡୋସ୍’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ‘ଏ ଇମ୍ପୋଷ୍ଟୋରା’, ‘ଫିଲହା ଦା ଲେଇ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସହିତ ଲୋକଙ୍କ ମନ ଜିତିଥିଲେ । ୨୦୨୦ ରୁ ୨୦୨୨ ପର୍ୟ୍ୟନ୍ତ, ସେ ନେଟଫ୍ଲିକ୍ସ ସିରିଜ୍ ‘ୱାରିଅର୍ ନନ୍’ରେ କାମ କରିଥିଲେ ଏବଂ ଏହା ସହିତ ସେ ଇଂଲିଶଶୋ’ରେ ଡେବ୍ୟୁ କରିଥିଲେ । କ୍ରିସ୍ ଏବଂ ଅଲବା ପ୍ରଥମ ଥର ପାଇଁ ‘ୱାରିଅର୍ ନନ୍’ରେ ଏକାଠି କାମ କରିଥିଲେ । ହେଲେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ଏପର୍ଯ୍ୟନ୍ତ କ୍ରିସ୍ ଏବଂ ଅଲବା ନିଜ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।