ଓଡ଼ିଶା 365 (ବ୍ୟୁରୋ): ଆଖିବୁଜିଲେ ‘ସୋଲେ’ ସିନେମାର ଅଭିନେତା ସତୀନ୍ଦର୍ ଖୋସ୍ଲା । ‘ବୀରବଲ’ ନାମରେ ସୁପରିଚିତ ବର୍ଷୀୟାନ୍ ଅଭିନେତା ସତୀନ୍ଦର୍ କୁମାର ଖୋସ୍ଲାଙ୍କର ହୃଦ୍ଘାତ ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଥିଲା । ୮୦ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ସତୀନ୍ଦର୍ । ହୃଦ୍ଘାତ ଯୋଗୁଁ କୋକିଲାବେନ୍ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ ନିମନ୍ତେ ସତୀନ୍ଦର ପ୍ରସିଦ୍ଧି ଲାଭ କରିଥିଲେ। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ‘ସୋଲେ’ ସିନେମାରେ ତାଙ୍କର ଦମ୍ଦାର ଅଭିନୟରେ ସେ ଦର୍ଶକଙ୍କ ହୃଦୟରେ ବନ୍ଦି ହୋଇଯାଇଥିଲେ ।
ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ବନ୍ଧନ’। ହେଲେ ଭି. ଶାନ୍ତାରାମ୍ଙ୍କ ‘ବୁନ୍ଦ ଜୋ ବନ୍ଗୟୀ ମୋତି’ ଚଳଚ୍ଚିତ୍ରରେ ବାଞ୍ଛାରାମ ଭୂମିକାରେ ଅଭିନୟ କରିବା ପରେ ସେ ଦର୍ଶକଙ୍କ ନିକଟରେ ନିଜକୁ ପରିଚିତ କରାଇପାରିଥିଲେ । ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।ଖବର ମୁତାବକ ସେ ‘ଫିର୍ କଭି’, ‘ମେରା ଗାଓଁ, ମେରା ଦେଶ୍’, ‘ସଦ୍ମା’, ‘ଚାର୍ଲି ଚାପ୍ଲିନ୍’, ‘ଅନୁରୋଧ’, ‘ତପସ୍ୟା’, ଅମିର୍ ଗରିବ୍’ ‘ହମ୍ ହୈଁ ରାହି ପ୍ୟାର୍ କେ’, ‘ଦିଲ୍’, ‘ଗ୍ୟାମ୍ବ୍ଲର୍’ ଏବଂ ‘ମିଷ୍ଟର୍ ଆଣ୍ଡ୍ ମିସେସ୍ ଖିଲାଡି’ ଆଦି ସିନେମାରେ ଅଭିନୟ କରିଥିଲେ ।
ସେପଟେ, ବୀରବଲ୍ଙ୍କ ମୃତ୍ୟୁରେ ‘ଏକ୍ସ୍’ରେ ଶୋକବ୍ୟକ୍ତ କରି ‘ସିନେ ଆଣ୍ଡ୍ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍’ (ସିନ୍ଟା) ଲେଖିଛି: ବୀରବଲ୍ଙ୍କ ମୃତ୍ୟୁ ଯୋଗୁଁ ‘ସିନ୍ଟା’ ସମବେଦନା ବ୍ୟକ୍ତ କରୁଛି। ସେ ୧୯୮୧ରୁ ‘ସିନ୍ଟା’ର ସଦସ୍ୟ ଥିଲେ ।