ଓଡ଼ିଶା 365 (ବ୍ୟୁରୋ): ୪୫ ବୀମା ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଅନୁଷ୍ଠିତ ନିଯୁକ୍ତି ପର୍ବରେ ଏହି ନିଯୁକ୍ତୁି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ଓ ମାଗଣା ସ୍ୱାସ୍ଥ୍ୟସେବା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାର ମୌଳିକ ବୈଶିଷ୍ଟ୍ୟ। ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଆମର ନୀତି ଆଦର୍ଶରେ ପରିଚାଳିତ। ମୋ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଅର୍ଥ ଅଭାବରୁ ଜଣେ ବି ବ୍ୟକ୍ତି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ଉଚିତ ନୁହେଁ। ଇଏସ୍ଆଇ ହସ୍ପିଟାଲଗୁଡ଼ିକ ୮ ଲକ୍ଷ ବୀମାଭୁକ୍ତ ବ୍ୟକ୍ତିଙ୍କର ଯତ୍ନ ନେଉଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୦ ଲକ୍ଷ ପରିବାରର ଯତ୍ନ ନିଆଯାଉଛି।
ଇଏସ୍ଆଇ ହସ୍ପିଟାଲ୍ ଓ ଡିସପେନସାରିଗୁଡ଼ିକ ବୀମାଭୁକ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଆଶା ଓ ବିଶ୍ୱାସର କେନ୍ଦ୍ର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ ଭଳି ଇଏସ୍ଆଇ ଡାକ୍ତରଙ୍କ ପାଇଁ ଡାଇନାମିକ ଆସୁରଡ କ୍ୟାରିୟର ପ୍ରୋଗ୍ରେସନ ଏବଂ ଡିପ୍ଲୋମେଟ ଅଫ ନ୍ୟାସନାଲ ବୋର୍ଡ ଲାଭ ଲାଗୁ କରିବା ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି। ସମାଜରେ ଡାକ୍ତରଙ୍କ ଭୂମିକାକୁ ପ୍ରଶଂସା କରି ନବୀନ କହିଛନ୍ତି ଯେ, ସେମାନେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୃତ୍ତିର ଲୋକ ଏବଂ ଲୋକେ ସେମାନଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରନ୍ତି। ପେସାଦାର ହୋଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆଶ୍ୱସ୍ତି ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।