ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ । ଯାହା ଅଗଷ୍ଟ ୧୦ରେ ମୁକ୍ତିଲାଭ କରିଥିଲା ବଡ଼ ପରଦାରେ । ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ୬୦୦ କୋଟି ସଂଗ୍ରହ କରିସାରିଛି । ‘ଜେଲର’ର ଏତେ ବଡ ସଫଳତା ପାଇଁ ଫିଲ୍ମର ନିର୍ମାତା ବହୁତ ଖୁସି ଅଛନ୍ତି ଏବଂ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଶୁଭେଚ୍ଛା ସହ ‘ଜେଲର’ ର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଉପହାରର ସୁଅ ଛୁଟୁଛି । ନିକଟରେ ଏହି ଫିଲ୍ମର ସଫଳତାରେ ଖୁସି ହୋଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ୍, ସନ୍ ପିକ୍ଚର୍ସର ମାଲିକ, ୩୦୦ ରୁ ଅଧିକ କ୍ରୁ ସଦସ୍ୟଙ୍କୁ ସୁନା ମୁଦ୍ରା ଉପହାର ଦେଇଛନ୍ତି । ଏହାସହ ଏହି ଚଳଚ୍ଚିତ୍ରରେ କାମ କରିଥିବା ପ୍ରତ୍ୟେକ ଲୋକଙ୍କୁ ଧନ୍ୟବାଦ ଜଣାଇ ରବିବାର ଦିନ ସେମାନଙ୍କୁ ଏକ ସୁନା ମୁଦ୍ରା ଉପହାର ଦେଇଛନ୍ତି। ଯାହାର ଭିଡିଓ ଏକ୍ସ୍ ହ୍ୟାଣ୍ଡେଲରେ ଭାଇରାଲ ହେବାରେ ଲାଗିଛି ।
ସେପଟେ ପୂର୍ବରୁ ମଧ୍ୟ ମାରାନ ଦୁଇଟି ବିଳାସପୂର୍ଣ୍ଣ କାର ସହିତ ରଜନୀକାନ୍ତଙ୍କ ଘରେ ପହଞ୍ଚି ତାଙ୍କୁ ପସନ୍ଦ କରୁଥିବା ଗୋଟିଏ କାର ବାଛିବାକୁ କହିଥିଲେ। ଏହି ଦୁଇଟି କାର ଥିଲା ୧.୨୪ କୋଟି BMW X7 ଏବଂ ୧.୯୫ କୋଟି BMW i। ରଜନୀ ନିଜ ନିଜ ପାଇଁ ୧.୨୪ କୋଟି ଟଙ୍କା ମୂଲ୍ୟର BMW X7 କୁ ବାଛିଥିଲେ । ସେହିପରି ‘ଜେଲର’ର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସେ କାର ଉପହାର ଦେଇଥିଲେ ଫିଲ୍ମ ନିର୍ମାତା କାଲାନିଥୀ ମାରାନ୍ । ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି। ଯାହା ଏକ୍ସ୍ ହ୍ୟାଣ୍ଡେଲରେ ଭାଇରାଲ୍ ହୋଇଥିଲା।