ଓଡ଼ିଶା 365 (ବ୍ୟୁରୋ): ୩ ଦଫା ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ। ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇନକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡର ଭୁକ୍ତ କରିବା, କଳା କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ। ପୂର୍ବରୁ ସଂଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଶିକ୍ଷକଙ୍କ ଦାବିକୁ ଏଡ଼ାଇ ଚାଲିଛନ୍ତି । ଫଳରେ ଦାବି ପୂରଣ ନିମନ୍ତେ ବାଧ୍ୟ ହୋଇ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।
ଆଜିଠାରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ। ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି। ଫଳରେ ପିଲାଙ୍କ ପଠପଢା ଏକପ୍ରକାର ଠପ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ତେବେ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସେତଙ୍କ ନଜର ରହିଛି।