ଓଡ଼ିଶା 365 (ବ୍ୟୁରୋ) : ଘନୀଭୂତ ହେବ ଲଘୁଚାପ। ଭିଜିବ ଅଧା ଓଡ଼ିଶା। ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରର ମଧ୍ୟଭାଗରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ୨୪ ଘଣ୍ଟାରେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ।
୨୦ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିସ୍ତୃତ ବର୍ଷା ହେବ। ପାଖାପାଖି ୭୦ରୁ ୨୦୦ ମିଲିମିଟର ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ଖାଲିସେତିକି ନୁହେଁ ରାଜ୍ୟର ୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଯାଜପୁର, ଜଗତସିଂହପୁର, ଖୋର୍ଧା, ପୁରୀ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହୁଛି। ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଫଳରେ କୃତ୍ରିମ ବନ୍ୟା ସହ ତଳୁଆ ଅଞ୍ଚଳରେ ପାଣି ଜମି ରହିବା, ଭୂସ୍ଖଳନ, ମାଟି ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା, ନଦୀର ଜଳସ୍ତର ବୃଦ୍ଧି ଆଦି ସମସ୍ୟା ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।