ଓଡ଼ିଶା 365 (ବ୍ୟୁରୋ): ଏସିଆ କପ୍ରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଟିମ୍ ଭାବେ ଫାଇନାଲ୍ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ସୁପର-୪ରେ ଘରୋଇ ଶ୍ରୀଲଙ୍କାକୁ ୪୧ ରନରେ କରିଛି ପରାସ୍ତ । ବ୍ୟାଟିଂରେ ରୋହିତ,ବୋଲିଂରେ କୁଲଦୀପଙ୍କ କମାଲ ଦେଖିବାକୁ ମିଳିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୧୩ ରନରେ ସମସ୍ତ ୱିକେଟ୍ ହରାଇଥିଲା । ରୋହିତ ଶର୍ମା ମ୍ୟାଚ୍ରେ ୫୩ ରନ ପାରି ଖେଳିବା ସହ ଦିନିକିଆ କ୍ରିକେଟ୍ରେ ୧୦ ହଜାର ରନ ପୂରଣ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ହୋଇଛନ୍ତି ଷଷ୍ଠ ଭାରତୀୟ ବ୍ୟାଟର। ୨୪୧ ଇନିଂସରୁ ସେ ୧୦ ହଜାର ରନ ପୂରଣ କରିଛନ୍ତି। ଏଥିରେ ୩୦ ଶତକ ଓ ୫୦ ଅର୍ଦ୍ଧଶତକ ହୋଇଛି ସାମିଲ୍। ପାକିସ୍ତାନ ବିପକ୍ଷରେ କୁଲଦୀପ ୫ ଓ୍ବିକେଟ୍ ନେଇଥିବାବେଳେ ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ବିକେଟ୍ ନେଇ ବିଜୟର ହିରୋ ସାଜିଛନ୍ତି।
ଶ୍ରୀଲଙ୍କା ପକ୍ଷରୁ ଦୁନିଥ ୱେଲ୍ଲାଲାଗେ ୫, ଚରିଥ୍ ଅସଲଙ୍କା ୪ଟି, ମହୀଶଙ୍କୁ ମିଳିଥିଲା ଗୋଟିଏ ୱିକେଟ୍ । ଭାରତ ୪୯.୧ ଓଭରରେ ୨୧୩ ରନରେ ଅଲଆଉଟ୍ ହୋଇଥିଲା । ୨୧୪ ବିଜୟ ପିଛା କରି ଶ୍ରୀଲଙ୍କା ୧୭୨ ରନରେ ସମସ୍ତ ୱିକେଟ୍ ହରାଇଥିଲା । ଭାରତ ଏସିଆ କପ୍ରେ ଫାଇନାଲ୍ ଜିତି ବିଜୟର ବାନା ଉଡାଉ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।