ଓଡ଼ିଶା365(ବ୍ୟୁରୋ): ସୌମ୍ୟଙ୍କ ବିରୋଧରେ ବିଜେଡି ନେଇଛି ବଡ଼ ଆକ୍ସନ । ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇଲେ ନବୀନ । ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ସୌମ୍ୟଙ୍କ ଉପରେ ଆଜି ହଠାତ୍ ଏକ ବଡ଼ ଆକ୍ସନ ନେଇଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଯଦି ବିଜେଡିର କାର୍ଯ୍ୟାନୁଷ୍ଠାନ ଉପରେ ନଜ ପକାଇବା, ତେବେ ଏହା ହେଉଛି ବିଜେଡିର ଚିରାଚରିତ ପକ୍ରିୟା । ପ୍ରଥମେ ଦଳୀୟ ନେତା ଓ ମନ୍ତ୍ରୀ ସମାଲୋଚନା ଓ କାଉଣ୍ଟର କରିବା । ତାପରେ ଦଳୀୟ ପଦ ପଦବୀରୁ ବିଦା କରିବା । ଅର୍ଥାତ୍ ଏକପ୍ରକାର କହିବାକୁ ଗଲେ, ସୌମ୍ୟଙ୍କ ଉପରେ ଚାପ ପ୍ରୟୋଗ କରିଛି ଦଳ ।
ଦଳ ଓ ଶାସନ ବ୍ୟବସ୍ଥା ନେଇ ବିଧାୟକ ସୌମ୍ୟ ପ୍ରଶ୍ନ ଉଠାଇଥିଲେ। ଗତ କିଛିଦିନ ଧରି ସୌମ୍ୟ ପଟ୍ଟନାୟକ ଫାଇଭ୍-ଟି ସଚିବଙ୍କୁ ନେଇ ବୟାନ ଦେବାପରେ ଦଳ ଭିତରୁ ତାଙ୍କୁ ଘନ ଘନ ଟାର୍ଗେଟ୍ କରାଯାଇଥିଲା। ପ୍ରଥମେ ଅରୁଣ ସାହୁ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍ କରିଥିଲେ। ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ୟ୍ୟ ବୋଲି ଅତନୁ କହିଥିଲେ। ଏହାସହ ୫ଟି ସଚିବଙ୍କ କଡ଼ା ଟାର୍ଗେଟ କରି କହିଥିଲେ, ୫ଟି ସଚିବ ରାଜନୀତି କରିପାରିବେ ନାହିଁ । ଯଦି ରାଜନୀତି କରିବାକୁ ଚାହୁଁଛନ୍ତି, ତେବେ ଚାକିରି ଛାଡ଼ି ମୈଦାନକୁ ଆସନ୍ତୁ ।
କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ଟାର୍ଗେଟ କରିଥିଲେ ସୌମ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଳୀୟ ଅଫିସ୍ ହୋଇଯାଇଛି କି? ୪, ୫ ଜଣ ଅଫିସର ଦଳକୁ ଚଳାଇବେ କି ? ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ଏଭଳି ପ୍ରଶ୍ନବାଣରେ ବିଜେଡି ଶିବିରକୁ ହଲଚଲ କରିଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟାନୟକ । ଯାହାକୁ ନେଇ ଆଜି ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନବୀନ । ଏହା ପରେ ବି ଯଦି ସୌମ୍ୟଙ୍କ ଆଲେଖ୍ୟ ଓ ବକ୍ତବ୍ୟରେ କୌଣସି ପରିବର୍ତ୍ତନ ନହୁଏ, ତେବେ ଆଗକୁ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ତେବେ ଦେଖାଯାଉ, ସୌମ୍ୟଙ୍କୁ ନେଇ ଆଗାମୀ ଦିନରେ ବିଜେଡିର କାର୍ଯ୍ୟପନ୍ଥା କ’ଣ ହେଉଛି ।