ଓଡ଼ିଶା 365 (ବ୍ୟୁରୋ) : ଦୀପାବଳି ସମୟରେ ରାଧାନୀ ଦିଲ୍ଲୀ ଓ ଅଞ୍ଚଳରେ ବାଣ ଫୁଟାଇବା ନିଷିଦ୍ଧ ଘୋଷଣା କରାଯାଇଛି । ସମସ୍ତ ପ୍ରକାର ବାଣ ତିଆରି, ବିକ୍ରି, ଗଚ୍ଛିତ ରଖିବା ଓ ଫୁଟାଇବା ଉପରେ ନୂଆ ଗାଇଡଲାଇନ ଜାରି ହୋଇଛି । ଗତ ତିନିବର୍ଷ ହେଲା ଦିଲ୍ଲୀରେ ବାଣ ଉପରେ କଟକଣା ଲାଗି ଆସୁଛି । ଶୀତଋତୁରେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଘୋଷଣା କରିଛନ୍ତି । ସାରା ସହରରେ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦିଆଯାଇଛି । ଦିଲ୍ଲୀରେ ବାୟୁମାନରେ ଉନ୍ନତି ଘଟିଥିଲେ ମଧ୍ୟ ଏହାକୁ ଆହୁରି ଭଲ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ବାଣ ଉପରେ ଏ ବର୍ଷ ମଧ୍ୟ କଟକଣା ଲଗାଗଲା ବୋଲି ସେ କହିଛନ୍ତି। ଏନ୍ସିଆର ରାଜ୍ୟଗୁଡ଼ିକ ବାଣ ଲାଇସେନ୍ସ ଦେବାରୁ ନିବୃତ୍ତ ରହିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଗତବର୍ଷ ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ଜେଲ ଓ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାର ଘୋଷଣା କରିଥିଲେ। ସେହିପରି ବାଣ ଉତ୍ପାଦନ, ଗଚ୍ଛିତ କରିବା ଓ ବିକ୍ରି କରିବା ପାଇଁ ବିସ୍ଫୋରକ ଆଇନର ଧାରା ୯ ବି ଅନୁସାରେ ୩ ବର୍ଷ ଜେଲ ଓ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।