ଓଡ଼ିଶା 365 (ବ୍ୟୁରୋ) : ବୁଧବାର ଭାରତ ଆସିବ C-295 ରଣକୌଶଳ ସାମରିକ ଏୟାର ଲିଫ୍ଟ ବିମାନ । ଏହାକୁ ଆଣିବା ପାଇଁ ବାୟୁସେନା ମୁଖ୍ୟ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ସ୍ପେନରେ ପହଞ୍ଚିଛନ୍ତି । ଏହି ବିମାନ ପାଇଁ ୟୁରୋପୀୟ ବିମାନ କମ୍ପାନୀ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ADSpace) ସହିତ ଭାରତ ଚୁକ୍ତି ସ୍ବାକ୍ଷର କରିଥିଲା । ଭାରତ ମୋଟ ୨୧ ହଜାର କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ବାୟୁସେନାରେ ଏହାର ପ୍ରବେଶ ହିନ୍ଦନ୍ ଏୟାରବେସରେ ହେବ । ଖବର ଅନୁଯାୟୀ ଆଗ୍ରା ଏୟାରବେସରେ ପ୍ରଥମ C-295 ପରିବହନ ବିମାନ ନିୟୋଜିତ ହେବ। ୫୬ ଟି ବିମାନ ପାଇଁ ଭାରତର ଚାହିଦା ଥିଲା । ସେଥିମଧ୍ୟରୁ ୧୬ ଟି ବିମାନ ସ୍ପେନରୁ ସମ୍ପୂର୍ଣ ପ୍ରସ୍ତୁତ ହୋଇ ଉଡ଼ାଣ କଲାପରି ଅବସ୍ଥାରେ ଆସି ପହଞ୍ଚିବ । ଅବଶିଷ୍ଟ ୪୦ଟି ବିମାନ ଗୁଜୁରାଟର ଭଦୋଦରାଠାରେ ଟାଟା ଆଡଭାନ୍ସଡ ସିଷ୍ଟମ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେବ ।
ବାୟୁସେନା ନିଜର ପରିବହନ କାମ ପାଇଁ ଆଭ୍ରୋ ବିମାନକୁ ବ୍ୟବହାର କରୁଛି । ଯାହା ୬୦ ବର୍ଷ ତଳେ କିଣା ହୋଇଥିଲା । C-295 ବିମାନଗୁଡ଼ିକ ଭାରତୀୟ ବାୟୁସେନାରେ ଏହି ଆଭ୍ରୋ ବିମାନକୁ ବଦଳାଇବ । ବହୁ ବର୍ଷ ଧରି ପୁରୁଣା ବିମାନଗୁଡିକୁ ବଦଳେଇବା ପାଇଁ ଦାବି ହେଇ ଆସୁଥିଲା । ନୂତନ ବିମାନ କିଣିବା ପାଇଁ ମେ, ୨୦୧୩ରେ ଟେଣ୍ଡର ଡକା ଯାଇଥିଲା । ମେ’ ୨୦୧୫ ରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଟାଟା ଗ୍ରୁପ୍ ଏବଂ ଏୟାରବସ୍ C-295 ବିମାନ ପାଇଁ ଟେଣ୍ଡର ଅନୁମୋଦନ କରିଥିଲା ।