ଓଡ଼ିଶା 365 (ବ୍ୟୁରୋ): ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ବିଦା କରିଛି ବିଜେଡି। ଏନେଇ ବହିଷ୍କାର ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏହି ନିର୍ଦ୍ଦେଶନାମାରେ ଥିବା ଦସ୍ତଖତ ଯେ ନବୀନଙ୍କର ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସୌମ୍ୟ । ସୌମ୍ୟ କହିଛନ୍ତି, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେମାନେ ଉପସଭାପତି ଦାୟିତ୍ୱ ଦେଇଥିଲେ, ଏବେ କାର୍ଯ୍ୟରୁ ଅନ୍ତର କରିଦେଲେ। ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ। ଉପସଭାପତି ପଦ ହରାଇବା ପରେ ମୁଁ କିଛି ହରାଇଛି ବୋଲି ଭାବୁନି। କାରଣ ଉପସଭାପତି ହିସାବରେ ମୁଁ କ’ଣ କରୁଥିଲି ଯେ, ହରାଇଛି ବୋଲି କହିବି। ଅନେକ ଗୁଡ଼ିଏ ପଦ ପଦବୀରେ ଆମ ଦଳର ଅନେକ ଲୋକ ଅଛନ୍ତି। ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ। ତେଣୁ ସେହି ପଦଟା କେବଳ ଆଳଙ୍କାରିକ ଭାବେ ଥିଲା। ତେଣୁ ଏହାକୁ ହରାଇବା ହିସାବରେ ମୁଁ ଗ୍ରହଣ କରୁନି। କିନ୍ତୁ ଗୋଟିଏ ଉଲ୍ଲେଖନୀୟ କଥା ହେଲା, ମୋତେ ଅନ୍ତର କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦସ୍ତଖତ ରହିଛି। ସେହି ଦସ୍ତଖତଟି ଅସଲି ନା ନକଲି, ତାହା ସନ୍ଦେହ ହେଉଛି।
ସୌମ୍ୟ ଆହୁରି ବି କହିଛନ୍ତି, ଗୋଟିଏ ସପ୍ତାହ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇ ମିନିଟ୍ ସମୟ ମାଗିଥିଲି। ମୋତେ ସମୟ ମିଳିଲା ନାହିଁ। କିନ୍ତୁ ତା’ ବଦଳରେ ଏ ବରଖାସ୍ତ ନିର୍ଦ୍ଦେଶନାମା ମିଳିଛି। ତେଣୁ ସେଥିରୁ ମୋର ସନ୍ଦେହ ହେଉଛି, ସେହି ଦସ୍ତଖତଟି ନକଲି ନା ଅସଲି। ଏହାଛଡ଼ା ଅନ୍ୟ କିଛି ମୋର କହିବାର ନାହିଁ ।