ଓଡ଼ିଶା 365 (ବ୍ୟୁରୋ): ପ୍ରତି ଭାରତୀୟଙ୍କୁ ପସନ୍ଦ ରାଇତା । ଭାତ ସାଙ୍ଗରେ ରାଇତା ଟିକିଏ ହୋଇଗଲେ ପେଟ ପୁରିଯାଏ । ଛୋଟ ଠାରୁ ବୟସ୍କ ସମସ୍ତେ ରାଇତା ଖାଇବାକୁ ବେଶ୍ ପସନ୍ଦ କରନ୍ତି । ବିରିୟାନିରେ ରାଇତା ନହେଲେ ତାହା ପାଟିକୁ ସୁସ୍ୱାଦୁ ଲାଗିନଥାଏ । ଭାତ, ରୁଟି କିମ୍ବା ପରଟା ସବୁଥିରେ ରାଇତା ଖିଆଯାଇଥାଏ । ଦହିରେ ଥିବା ପ୍ରୋ-ବାୟୋଟିକ୍ ଗୁଣ ଯୋଗୁଁ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ। ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ଦହି ନିଯନ୍ତ୍ରଣ କରିଥାଏ । ରାଇତାକୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ସେଥିରେ କାକୁଡ଼ି, ଗାଜର,କଞ୍ଚାଲଙ୍କା, ପିଆଜ, ଟମାଟୋ, ପୋଦିନା ଓ ଧନିଆପତ୍ର ପକାଇଥାନ୍ତି । କେହି କେହି କେବଳ ଦହିରେ କଳା ଲୁଣ ଓ ଜିରାଗୁଣ୍ଡ ପକାଇ ଖାଇଥାନ୍ତି । ଏସବୁ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ ।
ହେଲେ ଆପଣ ଜାଣନ୍ତି କି? ‘ରାଇତା’ରେ ଏମିତି ଏକ ଜିନିଷ ରହିଛି ଯାହା ଆପଣଙ୍କ ସ୍ବାସ୍ଥ୍ୟକୁ ବିଗାଡ଼ି ଦେଇଥାଏ । ତାହା ହେଲା କଞ୍ଚା ପିଆଜ। ଦହିରେ ପିଆଜ ମିଶାଇ ଖାଇଲେ ଏହା ଶରୀରରେ କୁପ୍ରଭାବ ପକାଏ । ଫୁଡ୍ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରି ଆପଣଙ୍କ ଶରୀରକୁ ଅସୁସ୍ଥ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପିଆଜ ଗରିଷ୍ଠ ଖାଦ୍ୟ ହୋଇଥିବା ବେଳେ ଦହି ଥଣ୍ଡା ଖାଦ୍ୟ। ଦହି ଓ ପିଆଜକୁ ଏକାଠି ଖାଇଲେ, ଏହା ଶରୀରରେ ଥିବା ବାତ, ପୀତ ଓ କଫର ସନ୍ତୁଳକୁ ବିଗାଡ଼ି ଦେଇଥାଏ। ଏହାସହ ଅମ୍ଳତା, ପେଟ ଫାଙ୍କିବା, ବଦହଜମି ଆଲର୍ଜି, ଚର୍ମ କୁଣ୍ଡାଇ ହେବା, ଏକ୍ଜିମା ଓ ସୋରିୟାସିସ୍ ଭଳି ଅନେକ ରୋଗ ଆପଣଙ୍କ ଶରୀରରେ ସୃଷ୍ଟି ହୋଇଥାଏ ।